Hot Posts

6/recent/ticker-posts

ସିନାପାଲିରେ ଟ୍ରକ୍‌ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ, ମୋବାଇଲ-ଟଙ୍କା ଲୁଟ୍‌; ଅଚଳ CCTVକୁ ନେଇ ପ୍ରଶ୍ନ

ସିନାପାଲି, ୦୨/୦୯ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସିନାପାଲି ସହରର ବିଜୁ ଏକ୍ସପ୍ରେସ୍‌ୱେରେ ଅପରାଧୀଙ୍କ ଦୌରାତ୍ମ୍ୟ ନେଇ ଚିନ୍ତା ବଢ଼ିଛି। ବାବା ମଠ ନିକଟସ୍ଥ ୪-ୱେ ବସ୍‌ଷ୍ଟପ୍‌ ସମ୍ମୁଖରେ ଜଣେ ଟ୍ରକ୍‌ (ଗାଡି ସଂଖ୍ୟା: CG 04 NP 5823) ଡ୍ରାଇଭରଙ୍କୁ ଅଜଣା ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରି ମୋବାଇଲ, ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ଆକ୍ରମଣକାରୀମାନେ ଟ୍ରକ୍‌ର କାଚ ଭାଙ୍ଗିବା ସହ ବ୍ୟାଟେରୀ ଖୋଲି ନେଇଥିବା ମଧ୍ୟ ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତ ୧ ତାରିଖ ରାତି ପ୍ରାୟ ୧ଟା ସମୟରେ କଳାହାଣ୍ଡି ପଟୁ ଟ୍ରକ୍‌ରେ ସାମଗ୍ରୀ ଖାଲି କରି ଡ୍ରାଇଭର ଖଡ଼ିଆଳ ରୋଡ୍‌ ଅଭିମୁଖେ ଯାଉଥିଲେ। ରାତି ହୋଇଥିବାରୁ ସିନାପାଲି ୪-ୱେ ବାବା ମଠ ନିକଟରେ ଗାଡ଼ିକୁ ପାର୍ଶ୍ୱରେ ରଖି ସେ ବିଶ୍ରାମ ନେଉଥିଲେ। ଏହି ସମୟରେ ଦୁଇଜଣ ଯୁବକ ବାଇକ୍‌ରେ ଆସି ଟ୍ରକ୍‌ର ବ୍ୟାଟେରୀ ଖୋଲିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଡ୍ରାଇଭର ଘଟଣା ସମ୍ପର୍କରେ ଜାଣିପାରି ସେମାନଙ୍କୁ ରୋକିବା ଏବଂ ଗାଡ଼ି ନେଇ ସେଠାରୁ ଚାଲିଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଟ୍ରକ୍‌ ଷ୍ଟାର୍ଟ ନ ହେବାରୁ ପରିସ୍ଥିତି ଜଟିଳ ହୋଇପଡ଼ିଥିଲା। ଅଭିଯୋଗ ଅନୁସାରେ, ଦୁର୍ବୃତ୍ତମାନେ ଡ୍ରାଇଭରଙ୍କୁ ଗାଡ଼ିରୁ ବାହାରିବାକୁ ଧମକ ଦେଇଥିଲେ। ଭୟରେ ସେ ଗେଟ୍‌ ନ ଖୋଲିବାରୁ ଆକ୍ରମଣକାରୀମାନେ ଟ୍ରକ୍‌ର କାଚ ଭାଙ୍ଗି ତାଙ୍କୁ ବାହାରକୁ ଟାଣି ଆଣିଥିଲେ। ପରେ ତାଙ୍କୁ ନିର୍ଧୁମ୍‌ ମାଡ଼ ମାରିବା ସହ ମୋବାଇଲ ଓ ନଗଦ ଟଙ୍କା ଛଡ଼ାଇ ନେଇଥିଲେ। ଶେଷରେ ଡ୍ରାଇଭରଙ୍କ ପିଠିରେ ଛୁରି ଭୁସି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଜୀବନ ବଞ୍ଚାଇବା ପାଇଁ ଡ୍ରାଇଭର ଟ୍ରକ୍‌ ଛାଡ଼ି ନିକଟସ୍ଥ ଜମି ମଧ୍ୟଦେଇ ଲୁଚିଲୁଚି ପଳାଇଥିଲେ। ସେ କରଣବାହାଲି ଅଞ୍ଚଳ ପର୍ଯ୍ୟନ୍ତ ଚାଲି ଯାଇଥିବା ଜଣାପଡ଼ିଛି। ପରେ ଭୋର ପ୍ରାୟ ୫ଟା ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଦେଖି ଆମ୍ବୁଲାନ୍ସ ଡାକି ସିନାପାଲି ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇଥିଲେ। ଖବର ପାଇ ସିନାପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିବା ସହ ଡାକ୍ତରଖାନାକୁ ଯାଇ ଆହତ ଡ୍ରାଇଭରଙ୍କଠାରୁ ଘଟଣା ସମ୍ପର୍କରେ ପଚରାଉଚରା କରିଥିବା ଜଣାପଡ଼ିଛି। ଅପରାଧୀଙ୍କୁ ଚିହ୍ନଟ କରି ଧରିବା ପାଇଁ ପୁଲିସ ତଦନ୍ତ ଚଳାଇଛି। ପରେ ଟ୍ରକ୍‌ ମାଲିକ ଖଡ଼ିଆଳ ରୋଡ୍‌ ଅଞ୍ଚଳରୁ ଆସି ଗାଡ଼ି ସହ ଆହତ ଡ୍ରାଇଭରଙ୍କୁ ନେଇଯାଇଥିବା ସୂଚନା ମିଳିଛି। ଅଚଳ CCTV କ୍ୟାମେରା ନେଇ ଉଠିଲା ବଡ଼ ପ୍ରଶ୍ନ ଘଟଣା ପରେ ସବୁଠାରୁ ବଡ଼ ପ୍ରଶ୍ନ ଉଠିଛି ୪-ୱେ ଅଞ୍ଚଳରେ ଲାଗିଥିବା CCTV କ୍ୟାମେରାକୁ ନେଇ। ସ୍ଥାନୀୟ ସୂଚନା ଅନୁଯାୟୀ, ୪-ୱେରେ ଲାଗିଥିବା CCTV କ୍ୟାମେରାଗୁଡ଼ିକ ଦୀର୍ଘଦିନ ଧରି ଅଚଳ ଥିବା ଅଭିଯୋଗ ହୋଇଆସୁଛି। କ୍ୟାମେରା ଲାଗିବାର ପ୍ରାୟ ତିନି ମାସ ମଧ୍ୟରେ ଏହା ଅଚଳ ହୋଇଥିବା ସତ୍ତ୍ୱେ ଏହାର ମରାମତି ନହେବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯଦି CCTV କ୍ୟାମେରା ସଚଳ ଥାଆନ୍ତା, ତେବେ ଘଟଣା ସମୟରେ ବାଇକ୍‌ରେ ଆସିଥିବା ଦୁଇ ଯୁବକଙ୍କ ଗତିବିଧି, ଗାଡ଼ିର ନମ୍ବର ଏବଂ ଘଟଣା ପରେ ସେମାନେ କେଉଁ ଦିଗକୁ ପଳାଇଲେ, ତାହା ପୁଲିସ ପାଇଁ ତଦନ୍ତରେ ବଡ଼ ପ୍ରମାଣ ହୋଇପାରିଥାନ୍ତା। କିନ୍ତୁ ନିରାପତ୍ତା ପାଇଁ ଲଗାଯାଇଥିବା କ୍ୟାମେରା ନିଜେ ଯଦି ଅଚଳ ରହେ, ତେବେ ଏହାର ଉଦ୍ଦେଶ୍ୟ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ବିଶେଷକରି ଗତ ୧୦ ଦିନ ମଧ୍ୟରେ ପ୍ରାୟ ୨୦୦ ମିଟର ଦୂରତା ମଧ୍ୟରେ ଏଭଳି ଦୁଇଟି ଘଟଣା ଘଟିଥିବା ଅଭିଯୋଗ ଆସିବା ପରେ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ନେଇ ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି। ରାତି ସମୟରେ ଯାତାୟାତ କରୁଥିବା ଟ୍ରକ୍‌ ଚାଳକ ଓ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ଅଚଳ CCTV କ୍ୟାମେରାକୁ ତୁରନ୍ତ ସଚଳ କରିବା ସହ ରାତ୍ରି ପାଟ୍ରୋଲିଂ ବଢ଼ାଇବାକୁ ଦାବି ହୋଇଛି। ଏହି ଘଟଣା ପରେ ୪-ୱେ ଅଞ୍ଚଳରେ ପୁଲିସର ନିୟମିତ ରାତ୍ରି ପାଟ୍ରୋଲିଂ, CCTVର ନିୟମିତ ରକ୍ଷଣାବେକ୍ଷଣ ଓ ଅପରାଧୀଙ୍କ ଉପରେ କଡ଼ା ନଜର ରଖିବା ଜରୁରୀ ହୋଇପଡ଼ିଛି। ନଚେତ ଅଚଳ ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ ଅପରାଧୀମାନେ ଆହୁରି ସାହସୀ ହୋଇପାରନ୍ତି ବୋଲି ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି।