ନିଜେ ଯେଉଁ ବିଦ୍ୟାଳୟ ରେ ପାଠ ପଢିଥିଲେ ଆଜି ସେଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭାବରେ ଦାୟିତ୍ଵ ନେଇ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଶୁଭକାନ୍ତ କୁମାର ସାହୁ।
ମାଲକାନଗିରି, ୦୮/୦୯ (ଶରତ ଚନ୍ଦ୍ର ଖରା) : ନିଜେ ପାଠ ପଢ଼ିଥିବା ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦେଇ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ସୁକାନ୍ତ କୁମାର ସାହୁ। ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷକ ଭାବେ ସେ କାର୍ଯ୍ୟଭାର ଗ୍ରହଣ କରିଥିବାବେଳେ ବିଦ୍ୟାଳୟ ପରିସରରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା। ପ୍ରଥମ ଶ୍ରେଣୀରୁ ଏହି ବିଦ୍ୟାଳୟରେ ଶିକ୍ଷାଲାଭ କରିଥିବା ଶ୍ରୀ ସାହୁ ଆଜି ସେହି ଅନୁଷ୍ଠାନର ମୁଖ୍ୟ ଭାବେ ଦାୟିତ୍ୱ ନେଇଥିବାରୁ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଦେଇଛି। ଜିଲ୍ଲାର ଜଣେ ପ୍ରତିଷ୍ଠିତ ଶିକ୍ଷାବିତ ଓ ରାଜ୍ୟ ସାଧନକର୍ମୀ ଭାବେ ପରିଚିତ ଶ୍ରୀ ସାହୁ ଦୀର୍ଘଦିନ ଧରି ଶିକ୍ଷା କ୍ଷେତ୍ରରେ ଅବଦାନ ରଖିଆସୁଛନ୍ତି। ଦାୟିତ୍ୱ ଗ୍ରହଣ ପରେ ସେ ବିଦ୍ୟାଳୟକୁ ଏକ ଆଦର୍ଶ ଶିକ୍ଷାନୁଷ୍ଠାନରେ ପରିଣତ କରିବା, ଶିକ୍ଷାର ମାନ ବୃଦ୍ଧି, ଭିତ୍ତିଭୂମିର ବିକାଶ ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ଉନ୍ନତି ଦିଗରେ କାମ କରିବେ ବୋଲି କହିଛନ୍ତି। ଏହି ଲକ୍ଷ୍ୟ ପୂରଣରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି।