Hot Posts

6/recent/ticker-posts

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମା’ ଓ ଝିଅଙ୍କ ମୃତଦେହ, ଉତ୍ତେଜନା

କଳାହାଣ୍ଡି, ୦୮/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମା’ ଓ ଝିଅଙ୍କ ମୃତଦେହ ରଖି ପରିବାର ଲୋକଙ୍କ ପ୍ରତିବାଦ। ବିଦ୍ୟୁତ୍ ଆଘାତରେ ମା’ ଓ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ, ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଘଟଣାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ଦେଖାଦେଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା, ଗ୍ରାମପଞ୍ଚାୟତ କାମଠନା ଅନ୍ତର୍ଗତ କର୍ଲାସୁଡ଼ା ଗ୍ରାମର ଲଳିତା ନାଏକ, ବୟସ ପ୍ରାୟ ୪୦ ବର୍ଷ ଏବଂ ତାଙ୍କ ଝିଅ ଶୀତଳ ନାଏକ, ବୟସ ପ୍ରାୟ ୨୦ ବର୍ଷଙ୍କ ମୃତ୍ୟୁ ଘଟିଛି। ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମା’ ଓ ଝିଅ ନିକଟସ୍ଥ କେନାଲକୁ ଗାଧୋଇବାକୁ ଯାଇଥିଲେ। ସେଠାରେ କପଡ଼ା ଶୁଖାଇବା ସମୟରେ ଶୀତଳ ବିଦ୍ୟୁତ୍ ଆଘାତର ଶିକାର ହୋଇଥିବା ଦେଖି ତାଙ୍କୁ ବଞ୍ଚାଇବା ପାଇଁ ମା’ ଲଳିତା ଉଦ୍ୟମ କରିଥିଲେ। ଏହି ସମୟରେ ଲଳିତା ମଧ୍ୟ ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ମଧ୍ୟ ପ୍ରାୟ ୩ ଘଣ୍ଟା ପରେ ମଧ୍ୟ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପରେ ପରିବାର ଲୋକେ ଅଟୋ ଯୋଗେ ମା’ ଓ ଝିଅଙ୍କୁ ଭବାନୀପାଟଣା ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ଉଭୟ ମା’ ଓ ଝିଅଙ୍କୁ ମୃତ ଘୋଷଣା କରିଥିବା ପରିବାର ପକ୍ଷରୁ କୁହାଯାଇଛି। ଏହାପରେ ପରିବାର ଲୋକେ ଉଭୟଙ୍କ ମୃତଦେହକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି ପ୍ରତିବାଦ କରିଛନ୍ତି। ଆମ୍ବୁଲାନ୍ସ ସେବାରେ ବିଳମ୍ବ ନେଇ ତଦନ୍ତ ସହ ଉଚିତ୍ କ୍ଷତିପୂରଣ ଦାବି କରି ପରିବାର ପକ୍ଷରୁ ପ୍ରତିବାଦ କରାଯାଉଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପ୍ରଶାସନ ଓ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ କରୁଥିବା ସୂଚନା ରହିଛି।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ