କଟକ, ୦୨/୦୯ (କାହୁଁ ଚରଣ ବାରିକ): କଟକ ଭାଣପୁର ଅଞ୍ଚଳରେ ଥିବା ‘ୱାଓ ମୋମୋ’ର ଏକ ଷ୍ଟକ୍ ପଏଣ୍ଟରେ କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗର ମିଳିତ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଗୋଦାମ ଭିତରୁ ପେଟି ପେଟି ପିଜା ମୋମୋ ଜବତ କରାଯାଇଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ଉକ୍ତ ଗୋଦାମରେ ମୋମୋକୁ ଦୀର୍ଘ ସମୟ ଧରି ଫ୍ରିଜ୍ରେ ସଂରକ୍ଷଣ କରାଯାଉଥିଲା। ପରେ ଆବଶ୍ୟକତା ଅନୁସାରେ ଗୋଦାମରୁ ମୋମୋ ବାହାର କରି ବିଭିନ୍ନ ଆଉଟ୍ଲେଟ୍କୁ ଯୋଗାଣ କରାଯାଉଥିବା ଅଭିଯୋଗ ହୋଇଛି। କଟକ ସମେତ ଭୁବନେଶ୍ୱର ଓ ପୁରୀ ଅଞ୍ଚଳକୁ ଏଠାରୁ ମୋମୋ ଯୋଗାଣ ହେଉଥିବା ସୂଚନା ମିଳିଛି। ଚଢ଼ାଉ ସମୟରେ ଖାଦ୍ୟ ସାମଗ୍ରୀ ସଂରକ୍ଷଣ ଓ ବିକ୍ରି ସମ୍ପର୍କିତ ବୈଧ କାଗଜପତ୍ର ଯାଞ୍ଚ କରାଯାଇଥିଲା। ତେବେ ଆବଶ୍ୟକ କାଗଜପତ୍ର ଦେଖାଇପାରିନଥିବା ଅଭିଯୋଗରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଷ୍ଟକ୍ ପଏଣ୍ଟକୁ ସିଲ୍ କରାଯାଇଛି। ଏହି ଘଟଣା ପରେ ଦୀର୍ଘ ସମୟ ଧରି ସଂରକ୍ଷିତ ଖାଦ୍ୟ ସାମଗ୍ରୀର ଗୁଣବତ୍ତା, ସଂରକ୍ଷଣ ପ୍ରଣାଳୀ ଏବଂ ଖାଦ୍ୟ ସୁରକ୍ଷା ନିୟମ ପାଳନକୁ ନେଇ ପ୍ରଶ୍ନ ଉଠିଛି। ତେବେ ଜବତ ମୋମୋର ପ୍ରକୃତ ଗୁଣବତ୍ତା ଓ ସଂରକ୍ଷଣ ସମ୍ପର୍କିତ ତଥ୍ୟ ଯାଞ୍ଚ ପରେ ସ୍ପଷ୍ଟ ହେବ।
କଟକରୁ କାହୁଁ ଚରଣ ବାରିକଙ୍କ ରିପୋର୍ଟ, ନବଦୂତ ନ୍ୟୁଜ୍।


