ସ୍ୱାୟତ୍ତ ଶାସନ ଦିବସରେ ମାଲକାନଗିରିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଲୋକାର୍ପିତ
ମାଲକାନଗିରି, ୦୧/୦୯ ( ଶରତ ଚନ୍ଦ୍ର ଖରା ) : ମାଲକାନଗିରି ପୌରପରିଷଦ ପକ୍ଷରୁ ସୋମବାର ଆଡ଼ମ୍ବରପୂର୍ଣ୍ଣ ଭାବେ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଛି। ପୌରପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ ପତାକା ଉତ୍ତୋଳନ କରିବା ସହ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ହସ୍ପିଟାଲ ଓ ଅନାଥାଶ୍ରମରେ ଫଳ ଏବଂ ମିଷ୍ଠାନ ବଣ୍ଟନ କରାଯାଇଥିଲା। ଆୟୋଜିତ ସଭାରେ ବିଧାୟକ ନରସିଂହ ମାଡକାମୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ବିଜୟ ମହାରଣା, ଉପାଧ୍ୟକ୍ଷା ସବିତା ମହାନ୍ତ ଓ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ନାୟକ ଯୋଗଦେଇଥିଲେ। ଏହି ଅବସରରେ ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ମାଲକାନଗିରିର ବିଭିନ୍ନ ସହରୀ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ କରିଥିଲେ। ଚକ୍ରୀଗୁଡ଼ା, ତାରିଣୀ ମନ୍ଦିର ନିକଟ ଓ ସ୍ୱଧାର ଗୃହ ପାଖରେ ନିର୍ମିତ ବହୁମୁଖୀ ମଣ୍ଡପ ସହ ବିଶାଳ ଟାଉନ ହଲ୍ର ଶୁଭାରମ୍ଭ ହୋଇଥିଲା। ବିଧାୟକ ଶ୍ରୀ ମାଡକାମୀ ସହରକୁ ସ୍ୱଚ୍ଛ ଓ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରିଥିଲେ। ଶେଷରେ ସଫେଇ କର୍ମଚାରୀଙ୍କୁ ନୂତନ ପୋଷାକ ବଣ୍ଟନ କରାଯାଇଥିଲା।