ଅଙ୍ଗନବାଡ଼ି କର୍ମୀଙ୍କୁ ଆଣ୍ଠେଇ କ୍ଷମା ମାଗିବାକୁ କହିବା ଅଭିଯୋଗ ଅଧିକାରୀଙ୍କ ବ୍ୟବହାରକୁ ନେଇ ଅଙ୍ଗନବାଡ଼ି କର୍ମୀଙ୍କ ଧାରଣା, ତଦନ୍ତ ଦାବି
ମାଲକାନଗିରି, ୦୧/୦୯ ( ରିପୋର୍ଟ ଶରତ ଚନ୍ଦ୍ର ଖରା ) : ମହିଳାଙ୍କ ସମ୍ମାନ, ସୁରକ୍ଷା ଓ ମର୍ଯ୍ୟାଦା ରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ମାଲକାନଗିରି ଜିଲ୍ଲା ମାଥିଲି ମହିଳା ଓ ଶିଶୁ ବିକାଶ ବିଭାଗ କାର୍ଯ୍ୟାଳୟରେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣାକୁ ନେଇ ଅଙ୍ଗନବାଡ଼ି କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଘଟଣାର ନିରପେକ୍ଷ ତଦନ୍ତ ଦାବି ହୋଇଛି। ସୂଚନା ଅନୁଯାୟୀ, ଗତ ୨୯ ତାରିଖରେ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାଳିଆଗୁଡ଼ା ସେକ୍ଟର ଅଧୀନ କାଳିଆଗୁଡ଼ା କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀ ରାଧାମଣୀ ନାୟକ ତାଲିମ କେନ୍ଦ୍ରରେ ଉପସ୍ଥିତ ଥିଲେ। ତେବେ ତାଙ୍କ କେନ୍ଦ୍ର ଅଧୀନରେ କାର୍ଯ୍ୟରତ ଆଶା କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ଅନୁପସ୍ଥିତ ଥିବା ଜଣାପଡ଼ିଥିଲା। ଏହି ଦୁଇ କର୍ମୀଙ୍କ ଅନୁପସ୍ଥିତିକୁ ନେଇ ସୁପରଭାଇଜର ରଜନୀ ବେହେରା ଓ ସିଏମ୍ଏଏମ୍ ଲିସା ନାୟକ ତାଙ୍କ ଉପରେ ବିରକ୍ତି ପ୍ରକାଶ କରିଥିବା ରାଧାମଣୀ ଅଭିଯୋଗ କରିଛନ୍ତି। ନିଜର କୌଣସି ଭୁଲ ନଥିବା ସତ୍ତ୍ୱେ ପରିସ୍ଥିତିକୁ ଶାନ୍ତ କରିବା ପାଇଁ ସେ ଦୁଇ ହାତ ଯୋଡ଼ି କ୍ଷମା ମାଗିଥିବା କହିଛନ୍ତି। ତେବେ ଏଥିରେ ଅଧିକାରୀଙ୍କ ରାଗ ଶାନ୍ତ ହୋଇନଥିବା ରାଧାମଣୀ ଅଭିଯୋଗ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ପରେ ଅନ୍ୟ ଅଙ୍ଗନବାଡ଼ି କର୍ମୀମାନଙ୍କୁ କାର୍ଯ୍ୟାଳୟରୁ ବାହାରକୁ ପଠାଇ ଦିଆଯାଇଥିଲା। ତାଙ୍କୁ ଚପଲ ଖୋଲିବା ସହ ଭ୍ୟାନିଟି ବ୍ୟାଗ୍ ରଖିଦେବାକୁ କୁହାଯାଇଥିଲା। ଏହାପରେ ତାଙ୍କୁ ଆଣ୍ଠେଇ ହାତ ଯୋଡ଼ି କ୍ଷମା ମାଗିବାକୁ କୁହାଯାଇଥିବା ସେ ଗଣମାଧ୍ୟମକୁ କହିଛନ୍ତି। ଘଟଣାଟି ପ୍ରଚାର ପାଇବା ପରେ ସୋମବାର ଅଞ୍ଚଳର ବହୁ ଅଙ୍ଗନବାଡ଼ି କର୍ମୀ ଏକତ୍ରିତ ହୋଇ ଘଟଣାକୁ ତୀବ୍ର ନିନ୍ଦା କରିଥିଲେ। ପରେ ସେମାନେ ମାଥିଲି ହନୁମାନ ମନ୍ଦିର ନିକଟରେ ଏକତ୍ରିତ ହୋଇ ମହିଳା ଓ ଶିଶୁ ବିକାଶ ବିଭାଗ କାର୍ଯ୍ୟାଳୟକୁ ଯାଇ ଧାରଣାରେ ବସିଥିବା ଜଣାପଡ଼ିଛି। ଜଣେ ମହିଳା କର୍ମଚାରୀଙ୍କୁ ଏଭଳି ଭାବେ ଅପମାନିତ କରାଯାଇଥିବା ଅଭିଯୋଗକୁ ନେଇ ସାଧାରଣ ମହଲରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ଘଟଣାର ସଠିକ୍ ତଦନ୍ତ କରାଯାଇ ସତ୍ୟାସତ୍ୟ ସାମ୍ନାକୁ ଆଣିବା ସହ ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଉଚିତ୍ ପଦକ୍ଷେପ ନିଆଯିବାକୁ ଅଙ୍ଗନବାଡ଼ି ସଂଘ ପକ୍ଷରୁ ଦାବି କରାଯାଇଛି। ଏନେଇ ଅଙ୍ଗନବାଡ଼ି ସଂଘ ପକ୍ଷରୁ ସି.ଡି.ପି.ଓ. ଅଲିଭା ପଟ୍ଟନାୟକଙ୍କୁ ଏକ ଲିଖିତ ଅଭିଯୋଗ ଦିଆଯାଇଥିଲା। ଲିଖିତ ଅଭିଯୋଗ ପ୍ରଦାନ ସମୟରେ ମଧ୍ୟ ସି.ଡି.ପି.ଓ.ଙ୍କ ଆଚରଣକୁ ନେଇ ଅଙ୍ଗନବାଡ଼ି କର୍ମୀମାନେ ଅସମ୍ମାନିତ ଅନୁଭବ କରିଥିବା ଅଭିଯୋଗ କରିବାରୁ କାର୍ଯ୍ୟାଳୟ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ, ଘଟଣା ସମ୍ପର୍କରେ ସି.ଡି.ପି.ଓ. ଅଲିଭା ପଟ୍ଟନାୟକଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଏ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବେ ବୋଲି ପ୍ରକାଶ କରିଥିବା ଜଣାପଡ଼ିଛି। ଘଟଣାକୁ ନେଇ ଏବେ ବିଭାଗୀୟ ତଦନ୍ତ କେବେ ହେବ ଏବଂ ଅଭିଯୋଗର ସତ୍ୟାସତ୍ୟ କ’ଣ, ତାହା ଉପରେ ସମସ୍ତଙ୍କ ନଜର ରହିଛି।