ଗୋତମୁଣ୍ଡାରେ ମାଁ ଘାଟିମୁଡ଼ିଆଣିଙ୍କ ଡଙ୍ଗର ଯାତ୍ରା
କୋକସରା, ୦୮/୦୯ ( ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତମୁଣ୍ଡା ସୀମାନ୍ତ ଅଠର ନଳା ଘାଟିରେ ମାଁ ସର୍ବମଙ୍ଗଳା ଘାଟିମୁଡ଼ିଆଣିଙ୍କ ପାରମ୍ପରିକ ଡଙ୍ଗର ଯାତ୍ରା ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି। ପ୍ରତିବର୍ଷ ପୂର୍ଣ୍ଣିମା ପରେ ପଡ଼ୁଥିବା ମଙ୍ଗଳବାର ଦିନ ଏହି ପାରମ୍ପରିକ ଯାତ୍ରା ଅନୁଷ୍ଠିତ ହୋଇଥାଏ। କଳାହାଣ୍ଡି ଆଦିବାସୀ ପରମ୍ପରା, ଲୋକବିଶ୍ୱାସ ଓ ସଂସ୍କୃତିର ଏକ ସମୃଦ୍ଧ ମାଟି। ବର୍ଷ ତମାମ ବିଭିନ୍ନ ପାରମ୍ପରିକ ପର୍ବପର୍ବାଣୀ ଓ ଦେବାଦେବୀଙ୍କ ପୂଜାର୍ଚ୍ଚନା ଏଠାରେ ପାଳିତ ହୋଇଥାଏ। ଗୋତମୁଣ୍ଡାର ଡଙ୍ଗର ଯାତ୍ରା ମଧ୍ୟ ଏହି ପରମ୍ପରାର ଏକ ପ୍ରମୁଖ ଅଂଶ। ଗୋତମୁଣ୍ଡା ସୀମାନ୍ତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦଦେଶର ଅଠର ନଳା ଘାଟିରେ ମାଁ ଘାଟିମୁଡ଼ିଆଣି ପୂଜା ପାଇଆସୁଛନ୍ତି। ଆବାହମାନ କାଳରୁ ଦେବୀ ଏଠାରେ ପୂଜିତ ହୋଇଆସୁଥିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବିଶ୍ୱାସ ରହିଛି। ଯାତ୍ରା ପୂର୍ବରୁ ପୂଜାରୀ, ଗୋତମୁଣ୍ଡା ଗ୍ରାମବାସୀ ଓ କାଲିସିମାନେ ପାରମ୍ପରିକ ଲାଠି ଯାତ୍ରାରେ ଦେବୀଙ୍କ ପୀଠକୁ ଯାଇଥିଲେ। ସେଠାରେ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ମାନସିକଧାରୀମାନେ ଦେବୀଙ୍କ ନିକଟରେ ଶୁକ୍ଳ ଭୋଗ ଅର୍ପଣ କରିଥିଲେ। ଏହି ଯାତ୍ରାକୁ ଅଞ୍ଚଳର ଏକ କୃଷିଭିତ୍ତିକ ପାରମ୍ପରିକ ଯାତ୍ରା ଭାବେ ପାଳନ କରାଯାଏ। ଭଲ ବର୍ଷା, ଭଲ ଫସଲ, ଚାଷୀଙ୍କ ସମୃଦ୍ଧି ଓ ଅଞ୍ଚଳର ମଙ୍ଗଳ ପାଇଁ ଶ୍ରଦ୍ଧାଳୁମାନେ ମାଁ ଘାଟିମୁଡ଼ିଆଣିଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି ଯାତ୍ରାରେ କେବଳ କଳାହାଣ୍ଡି ନୁହେଁ, ପଡ଼ୋଶୀ ଛତିଶଗଡ଼ ଓ ନବରଙ୍ଗପୁର ସମେତ ବିଭିନ୍ନ ଅଞ୍ଚଳରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମାନସିକ ପୂରଣ, ପରିବାରର ମଙ୍ଗଳ ଓ ସୁଖସମୃଦ୍ଧି ପାଇଁ ଭକ୍ତମାନେ ମାଁଙ୍କ ଆଶୀର୍ବାଦ ଲୋଡ଼ିଥିଲେ। ଏହା ସହ ଆଦିବାସୀ ପରମ୍ପରା ଓ ଲୋକସଂସ୍କୃତିର ଏହି ନିଆରା ପର୍ବ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା।