‘ବିକଶିତ ଗାଁ–ବିକଶିତ ଓଡ଼ିଶା’ ପ୍ରକଳ୍ପ ଚୟନକୁ ନେଇ ସିନାପାଲିରେ ଅସନ୍ତୋଷ, ଜିଲ୍ଲାପାଳଙ୍କୁ ଦାବିପତ୍ର
ସିନାପାଲି, ୦୨/୦୯ ( ପରମେଶ୍ୱର ମେହେର ) : ଗ୍ରାମାଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଚାଲିଥିବା ‘ବିକଶିତ ଗାଁ–ବିକଶିତ ଓଡ଼ିଶା’ (BGBO) କାର୍ଯ୍ୟକ୍ରମରେ ପ୍ରକଳ୍ପ ଚୟନ ଓ ଅନୁମୋଦନକୁ ନେଇ ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଅନୁମୋଦିତ ପ୍ରକଳ୍ପ ତାଲିକାରେ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟାଙ୍କ ପ୍ରସ୍ତାବକୁ ଅଣଦେଖା କରାଯାଇଥିବା ଅଭିଯୋଗ ଉଠିଛି। ଏନେଇ ପ୍ରକଳ୍ପ ତାଲିକାର ପୁନଃବିଚାର କରି ସ୍ଥାନୀୟ ଜନପ୍ରତିନିଧିଙ୍କ ପ୍ରସ୍ତାବକୁ ଉପଯୁକ୍ତ ଅଗ୍ରାଧିକାର ଦେବା ଦାବିରେ ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ଉଲ୍ଲେଖ ଅନୁଯାୟୀ, ‘ବିକଶିତ ଗାଁ–ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମ- ୨୦୨୬-୨୭ ଅଧୀନରେ ପ୍ରକଳ୍ପ ଚୟନ ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ନିର୍ଦ୍ଦେଶ ଓ ମାର୍ଗ ଦର୍ଶିକା ଜାରି ହୋଇଥିଲା। ପଞ୍ଚାୟତସ୍ତରରେ ଅଞ୍ଚଳର ଆବଶ୍ୟକତା ଅନୁଯାୟୀ ପ୍ରକଳ୍ପ ପ୍ରସ୍ତାବ ଦେବା ପାଇଁ ସରକାରୀ ନିର୍ଦେଶନାମରେ ପଂଚାୟତି ରାଜ ପ୍ରତିନିଧିମାନଙ୍କ ସମ୍ପୃକ୍ତିକୁ ଅଗ୍ରାଧିକାର ଦିଆଯାଇଥିବା ଦାବି କରାଯାଇଛି। ଏହି ସମ୍ପର୍କରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଂକଳ୍ପ ସଂଖ୍ୟା ୭୯୯, ତାରିଖ ୦୭.୦୧.୨୦୨୬, ପତ୍ର ନମ୍ବର ୬୧୪୩, ତାରିଖ ୨୬.୦୨.୨୦୨୬ ସମେତ ୦୭ ମେ ୨୦୨୬ର ପତ୍ର ନମ୍ବର ୧୯୩୫ ଓ ୧୯୩୯ ଏବଂ ୩୧ ଜୁଲାଇ ୨୦୨୬ର ପତ୍ର ନମ୍ବର ୩୦୮୩ ଆଦିର ଉଲ୍ଲେଖ ଦାବିପତ୍ରରେ ରହିଛି। ଜନପ୍ରତିନିଧିମାନଙ୍କ କହିବା ଅନୁଯାୟୀ, ଗ୍ରାମାଞ୍ଚଳର ରାସ୍ତାଘାଟ, ପାନୀୟ ଜଳ, ଆଲୋକୀକରଣ, ଶିକ୍ଷା ଓ ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ପ୍ରକୃତ ସମସ୍ୟାକୁ ପଂଚାୟତ ସ୍ତରର ପ୍ରତିନିଧିମାନେ ନିକଟରୁ ଜାଣିଥାନ୍ତି। ତେଣୁ ପ୍ରକଳ୍ପ ଚୟନ ସମୟରେ ସେମାନଙ୍କ ପ୍ରସ୍ତାବକୁ ଗୁରୁତ୍ୱ ଦେବା ଆବଶ୍ୟକ। ତେବେ ଅନୁମୋଦିତ ପ୍ରକଳ୍ପ ତାଲିକା ପ୍ରକାଶ ପରେ କେତେକ ଜନପ୍ରତିନିଧି ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଞ୍ଚଳର ଆବଶ୍ୟକତାକୁ ଆଧାର କରି ଦିଆଯାଇଥିବା ପ୍ରସ୍ତାବରୁ ଅନେକ ପ୍ରକଳ୍ପ ତାଲିକାରେ ସ୍ଥାନ ପାଇନଥିବା ସେମାନେ ଅଭିଯୋଗ କରିଛନ୍ତି। ପଞ୍ଚାୟତ ସ୍ତରରେ ଗ୍ରାମ ସଭା ଦ୍ୱାରା ସ୍ଥିରୀକୃତ ଓ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକର ଯୋଗ୍ୟତା, ଉପଯୋଗିତା ଓ କାର୍ଯ୍ୟକାରିତା ଯାଞ୍ଚ ପାଇଁ Feasibility Report ପ୍ରସ୍ତୁତ ହୋଇଥିବା ଦାବିପତ୍ରରେ ଦର୍ଶାଯାଇଛି। ତେବେ ଏହି ଯାଞ୍ଚ ପ୍ରକ୍ରିୟା ପରେ ମଧ୍ୟ ଯଦି ସ୍ଥାନୀୟ ଆବଶ୍ୟକତା, ଗ୍ରାମ ସଭାର ନିର୍ଣ୍ଣୟ ଓ ଜନପ୍ରତିନିଧିଙ୍କ ପ୍ରସ୍ତାବକୁ ଉପଯୁକ୍ତ ସ୍ଥାନ ନମିଳେ, ତେବେ ଯୋଜନାର ମୂଳ ଉଦ୍ଦେଶ୍ୟ ପ୍ରଭାବିତ ହେବ ବୋଲି ଦାବି କରାଯାଇଛି। ଦାବିପତ୍ରର ମୁଖ୍ୟ ଦାବି ହେଉଛି—ଅନୁମୋଦିତ ପ୍ରକଳ୍ପ ତାଲିକାର ପୁନଃବିଚାର କରାଯାଇ ପ୍ରତ୍ୟେକ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ମଧ୍ୟରୁ ଅନ୍ତତଃ ଗୋଟିଏ ପ୍ରକଳ୍ପକୁ ଅନୁମୋଦନ କରାଯାଉ। ଜନପ୍ରତିନିଧିମାନଙ୍କ ମତରେ, ଏହାଦ୍ୱାରା ଗ୍ରାମସ୍ତରରେ ଲୋକଙ୍କ ଅଂଶଗ୍ରହଣ ବଢ଼ିବା ସହ ବିକାଶ କାର୍ଯ୍ୟରେ ସ୍ୱଚ୍ଛତା ଓ ସମନ୍ୱୟ ବୃଦ୍ଧି ପାଇବ। ଏଥିସହ ପ୍ରକଳ୍ପ ଚୟନ ସମୟରେ ତୃଣମୂଳ ଆବଶ୍ୟକତା ଓ ଲୋକଙ୍କ ହିତକୁ ପ୍ରାଥମିକତା ଦେବାକୁ ସେମାନେ ଦାବି କରିଛନ୍ତି। ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଆଶା ଅନୁମୋଦିତ ପ୍ରକଳ୍ପ ତାଲିକାକୁ ପୁନର୍ବାର ଯାଞ୍ଚ କରି ବାସ୍ତବିକ ଆବଶ୍ୟକତା, ପ୍ରକଳ୍ପର ଉପଯୋଗିତା ଓ Feasibility Report ଆଧାରରେ ଆବଶ୍ୟକ ପରିବର୍ତ୍ତନ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି। ସିନାପାଲି ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ସରକାରୀ ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀ ଓ ଗ୍ରାମବାସୀଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ ବୋଲି ଜନପ୍ରତିନିଧିମାନେ ମତ ଦେଇଛନ୍ତି। ପ୍ରକଳ୍ପ ଚୟନରେ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗରେ ଏବେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଉପରେ ନଜର ରହିଛି। ଦାବିପତ୍ର ଉପରେ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଉଛି, ତାହାକୁ ନେଇ ସିନାପାଲି ଅଞ୍ଚଳବାସୀଙ୍କ ମଧ୍ୟରେ ଅପେକ୍ଷା ପ୍ରକାଶ ପାଇଛି।