Hot Posts

6/recent/ticker-posts

ଭାରତୀୟ ଜୀବନ ବୀମା ଫୁଲବାଣୀ ଶାଖା ପକ୍ଷରୁ ୭୦ତମ ସ୍ଥାପନା ଦିବସ ପାଳିତ

ଫୁଲବାଣୀ, ୦୨/୦୯ (ଅଚ୍ୟୁତ ଜାନି) : ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ୭୦ତମ ସ୍ଥାପନା ଦିବସ ସାରା ଦେଶରେ ଉତ୍ସାହ ଓ ଆନନ୍ଦର ସହ ତା :- ୧ - ୦୯ - ୨୦୨୬ ମଙ୍ଗଳବାର ଦିନ ପାଳିତ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଶାଖା ପକ୍ଷରୁ ମଧ୍ୟ ଏହି ଅବସରରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଶାଖା ପରିଚାଳକ ବିଜୟ କେଶରୀ ପଣ୍ଡା ଓ ଏବିଏମ୍ ପରମେ ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ସ୍ଥାପନା ଦିବସ ସମାରୋହରେ ଏଲ୍‌ଆଇସିର ଦୀର୍ଘ ୭ ଦଶନ୍ଧିର ଯାତ୍ରା ଓ ଦେଶବାସୀଙ୍କ ପ୍ରତି ଏହାର ସେବାକୁ ସ୍ମରଣ କରାଯାଇଥିଲା।ଏହି ଅବସରରେ ଫୁଲବାଣୀ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ଯୁଧିଷ୍ଠିର ମେହେର ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଲ୍‌ଆଇସିର ଅଧିକାରୀ, ବିଭିନ୍ନ ବିଭାଗର କର୍ମଚାରୀ, ଡେଭଲପମେଣ୍ଟ ଅଫିସର, ଅଭିକର୍ତ୍ତା ଓ ଅନ୍ୟାନ୍ୟ କର୍ମଚାରୀମାନେ ଏଥିରେ ଉପସ୍ଥିତ ରହି ସ୍ଥାପନା ଦିବସର ଗୁରୁତ୍ୱକୁ ସ୍ମରଣ କରିଥିଲେ। କାର୍ଯ୍ୟକ୍ରମରେ ଏଲ୍‌ଆଇସିର ସ୍ଥାପନା, ଏହାର ଦୀର୍ଘଦିନର ସେବା ଯାତ୍ରା, ବୀମା କ୍ଷେତ୍ରରେ ଏହାର ଅବଦାନ ଏବଂ ଭବିଷ୍ୟତରେ ଗ୍ରାହକମାନଙ୍କୁ ଆହୁରି ଉନ୍ନତ ଓ ସୁବିଧାଜନକ ସେବା ପ୍ରଦାନ ନେଇ ଆଲୋଚନା କରାଯାଇଥିଲା। ଜୀବନ ବୀମା କେବଳ ଜଣେ ବ୍ୟକ୍ତିଙ୍କ ଭବିଷ୍ୟତକୁ ସୁରକ୍ଷା ଦେବାର ମାଧ୍ୟମ ନୁହେଁ, ବରଂ ପରିବାରର ଆର୍ଥିକ ସୁରକ୍ଷା ଓ ଦେଶର ଆର୍ଥିକ ବିକାଶରେ ମଧ୍ୟ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ନେଇ ମତ ପ୍ରକାଶ ପାଇଥିଲା।ଏଲ୍‌ଆଇସିର ସ୍ଥାପନା ଠାରୁ ଆଜି ପର୍ଯ୍ୟନ୍ତ ସଂସ୍ଥାଟି ଦେଶର କୋଟି କୋଟି ଲୋକଙ୍କୁ ଜୀବନ ବୀମାର ସୁରକ୍ଷା ପ୍ରଦାନ କରିଆସୁଛି। ଗ୍ରାହକଙ୍କ ବିଶ୍ୱାସ ଓ ଅଭିକର୍ତ୍ତାମାନଙ୍କ ନିଷ୍ଠା ହିଁ ସଂସ୍ଥାର ଦୀର୍ଘ ଯାତ୍ରାର ପ୍ରମୁଖ ଆଧାର ବୋଲି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ଓ ଅଧିକାରୀମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଉପସ୍ଥିତ ଅଧିକାରୀ ଓ ଅଭିକର୍ତ୍ତାମାନେ ଏଲ୍‌ଆଇସିର ସେବାକୁ ଆହୁରି ଲୋକାଭିମୁଖୀ କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ବୀମା ସୁରକ୍ଷାର ପରିସରଭୁକ୍ତ କରିବା ଦିଗରେ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ। ଶେଷରେ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇ ସମାରୋହର ସମାପନ କରାଯାଇଥିଲା।