Hot Posts

6/recent/ticker-posts

ମରଣଯନ୍ତା ପାଲଟିଛି କୁଟିବାରି-ଦଳପଡ଼ା ପ୍ରଧାନମନ୍ତ୍ରୀ ସଡ଼କ ତୁରନ୍ତ ମରାମତି ପାଇଁ ଅଞ୍ଚଳବାସୀଙ୍କ ଦାବି

ଖଜୁରୀପଡ଼ା, ୦୨/୦୯ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ କୁଟିବାରି-ଦଳପଡ଼ା ପ୍ରଧାନମନ୍ତ୍ରୀ ସଡ଼କ ଏବେ ଶୋଚନୀୟ ଅବସ୍ଥାରେ ପହଞ୍ଚିଛି। ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଢିପ ସୃଷ୍ଟି ହେବା ସହ ଅନେକ ସ୍ଥାନରେ ମେଟାଲ ବାହାରି ପଡ଼ିଛି। ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ଷା ହେଲେ ରାସ୍ତାରେ ଥିବା ଗର୍ତ୍ତଗୁଡ଼ିକରେ ପାଣି ଜମି ରହୁଥିବାରୁ ଗାତର ଗଭୀରତା ଜଣାପଡ଼ୁନାହିଁ। ଏଥିସହ ରାସ୍ତାର ଉଭୟ ପାର୍ଶ୍ୱ ମଧ୍ୟ ଠିକ୍ ଭାବେ ରକ୍ଷଣାବେକ୍ଷଣ ହୋଇନଥିବାରୁ ବସ୍‌, ବାଇକ୍‌, ସାଇକେଲ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହେଉଛି। ବିଶେଷକରି ବର୍ଷା ସମୟରେ ଦୁର୍ଘଟଣାର ଆଶଙ୍କା ବଢ଼ିଯାଉଛି। ଏହି ରାସ୍ତା ଉପରେ ନିର୍ଭର କରୁଥିବା ଦଳପଡ଼ା ଓ ଆଖପାଖ ଅଞ୍ଚଳର ଲୋକଙ୍କ ଦୈନନ୍ଦିନ ଯାତାୟାତ ପାଇଁ ଏହା ଏକ ପ୍ରମୁଖ ମାର୍ଗ ହୋଇଥିବାରୁ ଏହାର ଶୀଘ୍ର ମରାମତି ଆବଶ୍ୟକ ବୋଲି ଅଞ୍ଚଳବାସୀ କହିଛନ୍ତି। ତେଣୁ ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ରାସ୍ତାର ମରାମତି ସହ ଉଭୟ ପାର୍ଶ୍ୱର ଆବଶ୍ୟକୀୟ ସୁଧାର କାର୍ଯ୍ୟ କରିବାକୁ ଅଞ୍ଚଳର ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି।