ଥୁଆମୂଳ ରାମପୁର, ୦୬/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ଖଣି ଖନନ ହେଲେ ପ୍ରଭାବିତ ହେବ ସ୍ଥାନୀୟ ଲୋକଙ୍କ ଜୀବନ ଓ ଜୀବିକା। ଜଳ, ଜମି, ଜଙ୍ଗଲ ଏବଂ ପ୍ରାକୃତିକ ପରିବେଶ ଉପରେ ନିର୍ଭରଶୀଳ ଅଧିବାସୀଙ୍କ ଜୀବନ ଦୁର୍ବିସହ ହୋଇପଡ଼ିବାର ଆଶଙ୍କା ଦେଖାଦେଇଛି। ଏପରି ବିଭିନ୍ନ ଆଶଙ୍କାକୁ ନେଇ ଖଣ୍ଡୁଆଳ ମାଳି ଖଣି ଖନନ ବିରୋଧରେ ପୁଣି ଏକାଠି ହୋଇଛନ୍ତି ସ୍ଥାନୀୟ ଲୋକେ। ଏହି ପରିପ୍ରେକ୍ଷୀରେ ରବିବାର କର୍ଲାପାଟ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡୁଆଳ ମାଳି ତଳ ଅମଠାଗୁଡା ଗାଁରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଦୀର୍ଘଦିନ ଧରି ଖଣି ଖନନକୁ ବିରୋଧ କରିଆସୁଥିବା ସ୍ଥାନୀୟ ଲୋକେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ନେଇ ଏହି ବୈଠକରେ ଆଲୋଚନା କରିଛନ୍ତି। କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳ ଖଣିଜ ସମ୍ପଦରେ ସମୃଦ୍ଧ ଅନେକ ମାଳି ପର୍ବତରେ ଭରିରହିଛି। ବଫଲାମାଳି, ତିଜିମାଳି, କୁଟ୍ରୁମାଳି, ଖଣ୍ଡୁଆଳ ମାଳି ଓ କେଲୁଆ ମାଳି ଭଳି ଅଞ୍ଚଳରେ ଖଣିଜ ସମ୍ପଦ ରହିଛି। ଏହି ଖଣିଗୁଡ଼ିକ ମଧ୍ୟରୁ ଗୋଟିଏ ପରେ ଗୋଟିଏ ଖଣିକୁ ସରକାର ବିଭିନ୍ନ କମ୍ପାନୀଙ୍କୁ ଲିଜ୍ ଦେଉଥିବା ନେଇ ସ୍ଥାନୀୟ ମହଲରେ ଅସନ୍ତୋଷ ବଢ଼ୁଛି। ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, ଖଣି ଖନନ ଭଳି ଏକ ବଡ଼ ପ୍ରକଳ୍ପ ଦ୍ୱାରା ସେମାନଙ୍କ ଜୀବନ, ଜୀବିକା ଓ ପରିବେଶ ଉପରେ ପଡ଼ିବାକୁ ଥିବା ପ୍ରଭାବ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସହ ଯଥେଷ୍ଟ ଆଲୋଚନା ହେଉନାହିଁ। ଗ୍ରାମସଭା ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ମତାମତ ଓ ଅଧିକାରକୁ ସମ୍ମାନ ଦିଆଯିବା ଉଚିତ ବୋଲି ସେମାନେ ଦାବି କରିଛନ୍ତି। ଖଣି ଖନନ ଯୋଗୁଁ ଜଙ୍ଗଲ ଓ ପାହାଡ଼ ନଷ୍ଟ ହେବା ସହ ଜଳସ୍ରୋତ, କୃଷି, ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିବା ଲୋକଙ୍କ ଜୀବିକା ଏବଂ ସ୍ଥାନୀୟ ପରିବେଶ ପ୍ରଭାବିତ ହେବାର ଆଶଙ୍କା ବୈଠକରେ ପ୍ରକାଶ ପାଇଥିଲା। ତେଣୁ କୌଣସି ପ୍ରକାରର ଚାପ କିମ୍ବା ଭୟ ବିନା ସ୍ଥାନୀୟ ଲୋକଙ୍କ ମତାମତ ଓ ସମ୍ମତିକୁ ଗୁରୁତ୍ୱ ଦେବାକୁ ଦାବି ଉଠିଛି। ରବିବାରର ବୈଠକରେ କର୍ଲାପାଟ ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳର ବିଭିନ୍ନ ଗ୍ରାମରୁ ୫୦ରୁ ଊର୍ଦ୍ଧ୍ୱ ଲୋକ ଏକତ୍ରିତ ହୋଇ ଖଣ୍ଡୁଆଳ ମାଳି ଖଣି ଲିଜ୍କୁ ବିରୋଧ କରିଥିଲେ। ଖଣ୍ଡୁଆଳ ମାଳିର ଲିଜ୍ ବାତିଲ କରିବାକୁ ସେମାନେ ଦାବି କରିବା ସହ ଦାବି ପୂରଣ ନହେଲେ ଆଗାମୀ ଦିନରେ ବ୍ୟାପକ ଓ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।।ଖଣ୍ଡୁଆଳ ମାଳି ସ୍ଥାୟୀ ସୁରକ୍ଷା ସମିତିର ସଭାପତି କାର୍ତ୍ତିକ ମାଝୀ ଏବଂ ପୂର୍ବତନ ସରପଞ୍ଚ ରାମ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ବୈଠକରେ ସ୍ଥାନୀୟ ସରପଞ୍ଚ ବିଶ୍ୱନାଥ ମାଝୀ, ରବିନାରାୟଣ ସିଂହ, ଧୋବା ସାହୁ, ଖଣ୍ଡୁଆଳ ମାଳି ସଂଗ୍ରାମୀ ସତ୍ୟନାରାୟଣ ମାଝୀ, କରୁଣା ମାଝୀ, ଚିକନୁ ମାଝୀ, ଶିବ ନାଏକ, ସୁରେନ୍ଦ୍ର ମାଝୀ, ଇନ୍ଦ୍ର ମାଝୀ, ରଞ୍ଜିତ ମାଝୀ, ଅର୍ଜୁନ ମାଝୀ, ରାଜାରାମ ମାଝୀଙ୍କ ସମେତ ବହୁ ସଂଖ୍ୟକ ଆନ୍ଦୋଳନକାରୀ ଓ ଗ୍ରାମବାସୀ ଯୋଗଦେଇଥିଲେ। ବୈଠକରେ ଖଣି ଖନନ ଯୋଗୁଁ ସ୍ଥାନୀୟ ପରିବେଶ, ଜଳସମ୍ପଦ, ଜଙ୍ଗଲ ଏବଂ ଜନଜୀବନ ଉପରେ ସମ୍ଭାବ୍ୟ ପ୍ରଭାବ ନେଇ ଚିନ୍ତା ପ୍ରକାଶ ପାଇଥିଲା। **‘ଜଳ, ଜମି ଓ ଜଙ୍ଗଲର ସୁରକ୍ଷା ସହ ଲୋକଙ୍କ ଅଧିକାରର ସୁରକ୍ଷା’**କୁ ମୁଖ୍ୟ ପ୍ରସଙ୍ଗ କରି ଆନ୍ଦୋଳନକୁ ଆଗକୁ ନେବା ପାଇଁ ଉପସ୍ଥିତ ଲୋକେ ଏକଜୁଟ ହୋଇଥିଲେ। ଖଣ୍ଡୁଆଳ ମାଳି ଲିଜ୍ ବାତିଲ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ବୈଠକରୁ ସ୍ପଷ୍ଟ ସଙ୍କେତ ମିଳିଛି। ଫଳରେ ଖଣ୍ଡୁଆଳ ମାଳି ଖଣିକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିରୋଧର ସ୍ୱର ପୁଣି ଜୋର୍ ଧରିଥିବା ଦେଖିବାକୁ ମିଳିଛି।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଉପଖଣ୍ଡ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
