Hot Posts

6/recent/ticker-posts

ମାତିଛନ୍ତି ମାଫିଆ, ପଶ୍ଚିମବଙ୍ଗକୁ ବେଆଇନ ବାଲି ଚାଲାଣ।

ବାଲେଶ୍ଵର, ୨୫/୦୯ (ପ୍ରଭାକର ମଲ୍ଲିକ) : ବାଲେଶ୍ଵର ଜିଲ୍ଲା ବାଲିଆପାଳ ତହସିଲ ଅଞ୍ଚଳରେ ଦିନକୁ ଦିନ ଚୋରା ବାଲି ଚାଳାଣ ବଢ଼ିବାରେ ଲାଗିଛି। ଟ୍ରାକ୍ଟର, ଡମ୍ପର, ଇଞ୍ଜିନ ଚାଳିତ ଡଙ୍ଗାରେ ଦିନ ରାତି ବାଲି ବୋଝେଇ କରି ପଶ୍ଚିମବଙ୍ଗକୁ ଚାଲାଣ କରାଯାଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଅସ୍ତି ପଞ୍ଚାୟତରେ ବଢାପାଳ ନିକଟରେ ପ୍ରତ୍ୟେକ ଦିନ ପ୍ରାୟ ସୁବର୍ଣ୍ଣରେଖା ନଦୀ ତଟରୁ ତିନି ଚାରିଟି ସ୍ଥାନରୁ ୫୦ ରୁ ଅଧିକ ଟ୍ରାକ୍ଟର ସାହାର୍ଯ୍ୟରେ ବେଧଡକ ଭାବେ ବାଲି ଉତ୍ତୋଳନ କରି ଅବାଧରେ ଚାଲାଣ କରାଯାଉଛି। ସୁବର୍ଣ୍ଣରେଖା ନଦୀ ଗର୍ଭରୁ ଯନ୍ତ୍ର ଚାଳିତ ଡଙ୍ଗାରେ ବେଲଚା ସାହାର୍ଯ୍ୟରେ ବାଲି ଉତ୍ତୋଳନ କରି କୂଳରେ ରଖାଯାଉଛି। ତତ୍ କ୍ଷଣାତ ଟ୍ରାକ୍ଟରରେ ଲୁଡ କରିଯାଇ ଚାଲାଣ କରାଯାଉଛି। ଏହା ବ୍ୟତୀତ ଆଖପାଖ ଅଞ୍ଚଳରେ ବାଲିକୁ ଠୁଳ କରି ରଖାଯାଉଛି। ରାତିରେ ବଡ ବଡ ଡମ୍ପରରେ ବୋଝେଇ କରି ପଶ୍ଚିମବଙ୍ଗକୁ ପଠାଯାଉଛି। ବାଲି ଟ୍ରାକ୍ଟର ଗୁଡିକ ସହଜରେ ଯିବା ଆସିବା ପାଇଁ ନଦୀ ବନ୍ଧକୁ ଅଧାରୁ କାଟି ତଳକୁ ଗଡାଣିଆ କରାଯାଇଛି। ଫଳରେ ନଦୀ ବନ୍ଧ ବିପଦ ସଙ୍କୁଳ ହୋଇଛି। ଅନ୍ୟ ପକ୍ଷରେ ନଦୀ ବନ୍ଧ ଉପରେ ହୋଇଥିବା ଗ୍ରାମ୍ୟ ରାସ୍ତାରେ ଦିନ ରାତି ଭାରି ଯାନ ଚଳାଚଳ ପାଇଁ ଖାଳଖମାରରେ ଭର୍ତ୍ତି ହୋଇଗଲାଣି। ସ୍କୁଲପିଲା, ବୟସ୍କ ଲୋକ ଏବଂ ସାଧାରଣ ଯାତାୟାତକାରୀ ରାସ୍ତାରେ ଯିବା ଆସିବା କରିବାକୁ ଭୟ ପ୍ରକାଶ କରିଛନ୍ତି।ଏନେଇ ଅସ୍ତି ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ହରେକୃଷ୍ଣ ଜେନାଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇଆସୁଛି। ମାତ୍ର ବାଲିଆପାଳ ପ୍ରଶାସନ ପକ୍ଷରୁ କୈଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ମଧୁଚନ୍ଦ୍ରିକା ଚାଲିଛି ସଲା ସୁତରା । ଚଳିତ ବର୍ଷ ବାଲିଆପାଳ ବ୍ଲକରେ ତିନି ଥର ବନ୍ୟା ଆସି ବ୍ୟାପକ କ୍ଷୟକ୍ଷତି ହୋଇଛି। ପୁଣି ମଙ୍ଗଳବାର ଠାରୁ ଲଘୁଚାପ ଜନିତ ବର୍ଷା ନଦୀ କୂଳିଆ ଲୋକଙ୍କୁ ଭୟଭୀତ କରାଉଛି। ବର୍ଷାସତ୍ବେ ମଧ୍ୟ ମାଫିଆ କିଛି ମାନୁନାହାନ୍ତି। ଯଦି ଆଗକୁ ଏମିତି ନଦୀ ବନ୍ଧ ପାଖରୁ ବାଲି ଉତ୍ତୋଳନ କରାଯିବ ତାହେଲେ ଅସ୍ତି ପଞ୍ଚାୟତର ଥିବା ଗାଁ ଗୁଡିକ ଉପରେ ବିପଦ ହେବ ବୋଲି ସ୍ଥାନୀୟ ବାସିନ୍ଦା କମଳାକାନ୍ତ ପାତ୍ର, ଶରତ ଚନ୍ଦ୍ର ପ୍ରଧାନ, ବଟକୃଷ୍ଣ ଜେନା, ନିର୍ମଳ ବାରିକ, ତ୍ରୀଳଚନ ଦାସ ,ସୁଜିତ ବେହେରା ପ୍ରମୁଖ କହିଛନ୍ତି। ତେବେ ବାଲିଆପାଳ ତହସିଲ ଅଞ୍ଚଳରେ ଚାଲିଥିବା ବାଲି ଉତ୍ତୋଳନ ଓ ଚୋରା ବାଲି ଚାଲାଣ ଉପରେ ପ୍ରଶାସନ କେବେ କଡା ଲଗାମ୍ ଦେଉଛି ତାହାକୁ ଅଞ୍ଚଳବାସୀଙ୍କ ନଜର ରହିଛି



ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l