ରାୟଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୋଗ ଓ ଧ୍ୟାନ ଶିବିର
ରାୟଗଡ଼, ୨୫/୦୯ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସେବା ସଂକଳ୍ପ ଅଭିଯାନ–୨୦୨୬ ଅନ୍ତର୍ଗତ ଏକ ଦିବସୀୟ ଯୋଗ ଓ ଧ୍ୟାନ ଶିବିର ଶୁକ୍ରବାର ଗୋଲ୍ଡେନ୍ ଜୁବିଲି କନଫରେନ୍ସ ହଲ୍ରେ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସରସ୍ୱତୀ ରାୟଙ୍କ ପରିଚାଳନା ଓ ମାର୍ଗଦର୍ଶନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯୋଗ, ଧ୍ୟାନ ଓ ମାନସିକ ସୁସ୍ଥତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ଏହି ଅବସରରେ ଅଧ୍ୟକ୍ଷା ଡ. ସରସ୍ୱତୀ ରାୟ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ, ଏକାଗ୍ରତା ଓ ସୁସ୍ଥ ଜୀବନ ପାଇଁ ଯୋଗ ଓ ଧ୍ୟାନର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ବର୍ତ୍ତମାନ ସମୟରେ ଶିକ୍ଷା ଓ ବ୍ୟକ୍ତିଗତ ଜୀବନର ବିଭିନ୍ନ ଚାପ ମଧ୍ୟରେ ଛାତ୍ରଛାତ୍ରୀମାନେ ମାନସିକ ଭାବେ ସୁସ୍ଥ ରହିବା ସହିତ ନିଜର ଶାରୀରିକ ଫିଟ୍ନେସ୍ ପ୍ରତି ମଧ୍ୟ ଯତ୍ନବାନ ହେବା ଆବଶ୍ୟକ ବୋଲି ସେ କହିଥିଲେ। ନିୟମିତ ଯୋଗାଭ୍ୟାସ ଓ ଧ୍ୟାନ ଦ୍ୱାରା ମନକୁ ଶାନ୍ତ ରଖିବା, ଚିନ୍ତା ଓ ମାନସିକ ଚାପ କମାଇବା ସହିତ ଏକାଗ୍ରତା ବୃଦ୍ଧି କରାଯାଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ। ଶିବିରରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଏନ୍ସିସି କ୍ୟାଡେଟ୍ଙ୍କ ସଂଖ୍ୟା ଅଧିକ ଥିଲା। ଛାତ୍ରଛାତ୍ରୀମାନେ ଯୋଗ ଓ ଧ୍ୟାନର ବିଭିନ୍ନ ଦିଗ ସମ୍ପର୍କରେ ଜାଣିବା ସହିତ ଏହାକୁ ନିଜ ଦୈନନ୍ଦିନ ଜୀବନର ଅଂଶ କରିବା ପାଇଁ ପ୍ରେରଣା ପାଇଥିଲେ।କାର୍ଯ୍ୟକ୍ରମକୁ ଡ. ଲିଜାରାଣୀ ଶତପଥୀ ଓ ଲେଫ୍ଟନାଣ୍ଟ ଉଦୟ ନାଏକ ସଂଯୋଜନା କରିଥିଲେ। ଶ୍ରୀମତୀ କେ.କେ. ଜାନି, ଶ୍ରୀ ଅଶୋକ ସାହୁ ଓ ଶ୍ରୀ ରମେଶ ଚନ୍ଦ୍ର ହୁଇକାଙ୍କ ସମେତ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ-ଅଧ୍ୟାପିକାମାନେ ଶିବିରରେ ଯୋଗଦେଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ଶିବିରରେ ଯୋଗ ଓ ଧ୍ୟାନକୁ କେବଳ ଶାରୀରିକ ବ୍ୟାୟାମ ଭାବେ ନୁହେଁ, ବରଂ ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି, ଆତ୍ମନିୟନ୍ତ୍ରଣ ଓ ଏକାଗ୍ରତା ବୃଦ୍ଧିର ଏକ ପ୍ରଭାବଶାଳୀ ମାଧ୍ୟମ ଭାବେ ଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ଯୋଗୁଁ ଶିବିରଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।