ମଦ ବିକ୍ରି ବନ୍ଦ ଦାବିରେ ଶତାଧିକ ମହିଳାଙ୍କ ରାଲି, ଥାନାରେ ଦାବିପତ୍ର ପ୍ରଦାନ, ଭାଟି ଓ ଜାତୀୟ ରାଜପଥ କଡ଼ରେ ମଦ ବିକ୍ରେତାଙ୍କୁ ଚେତାବନୀ
କୋକସରା, ୦୬/୦୯ ( ରିତେଶ କୁମାର ମୁଣ୍ଡ ) : ଗାଁରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବା ଦାବିରେ ଏକାଠି ହୋଇଛନ୍ତି ଶତାଧିକ ମହିଳା। ବଙ୍ଗୋମୁଣ୍ଡା ଗ୍ରାମର ମହିଳା କମିଟିର ସଭାନେତ୍ରୀ ରୁକ୍ମିଣୀ ମାଝୀ, ଉପସଭାନେତ୍ରୀ ମନ୍ଦାର କେତକୀ, ସମ୍ପାଦିକା ଯଶୋଦା ନାଏକ, ବିଳାସ ଦଳପତି, ପୁଷ୍ପାଞ୍ଜଳି ମାଝୀ, କୁମାରୀ ବଛା, ରେବତୀ କେତକୀ, ବୃନ୍ଦା ବଛା, ପୂର୍ଣ୍ଣମୀ ପୁଝାରୀ, ସରୋଜିନୀ ବଣୁଆ, ସୁଷମା ଦଳପତି ଓ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା କୋକସରା ବ୍ଲକ କାର୍ଯ୍ୟାଳୟ ଠାରୁ ଏକ ରାଲିରେ ବାହାରି କୋକସରା ଥାନାରେ ପହଞ୍ଚିଥିଲେ। ଗାଁରେ ମଦ ବିକ୍ରି ଯୋଗୁଁ ସୃଷ୍ଟି ହେଉଥିବା ସାମାଜିକ ସମସ୍ୟାକୁ ନେଇ ମହିଳାମାନେ ଦୃଢ଼ ଆପତ୍ତି ପ୍ରକାଶ କରିବା ସହ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ପାଇଁ ଦାବି କରିଛନ୍ତି।ରାଲିରେ ସାମିଲ ହୋଇଥିବା ମହିଳାମାନେ ଥାନାରେ ପହଞ୍ଚିବା ପରେ ଥାନା ଅଧିକାରୀଙ୍କୁ ଲିଖିତ ଆକାରରେ ଦାବିପତ୍ର ପ୍ରଦାନ କରିଥିଲେ। ବଙ୍ଗୋମୁଣ୍ଡା ଗ୍ରାମରେ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ସହ ଅବୈଧ ଭାବେ ମଦ ବିକ୍ରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପ୍ରଶାସନ ଓ ପୋଲିସ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯିବାକୁ ମହିଳାମାନେ ଦାବି କରିଛନ୍ତି।ଥାନାରେ ଦାବିପତ୍ର ପ୍ରଦାନ ପରେ ମହିଳାମାନେ ଟେମରା ଅଞ୍ଚଳରେ ଥିବା ମଦ ଭାଟି ନିକଟକୁ ଯାଇଥିଲେ। ସେଠାରେ ମଦ ବିକ୍ରି ଓ ବ୍ୟବସାୟକୁ ନେଇ ମହିଳାମାନେ ନିଜର ଅସନ୍ତୋଷ ପ୍ରକାଶ କରିବା ସହ ମଦ ବିକ୍ରି ବନ୍ଦ କରିବାକୁ ଚେତାବନୀ ଦେଇଥିଲେ। ଏହାପରେ ମହିଳାମାନେ ଜାତୀୟ ରାଜପଥ କଡ଼ରେ ଥିବା ମଦ ଦୋକାନଗୁଡ଼ିକ ନିକଟକୁ ଯାଇ ସେଠାରେ ମଧ୍ୟ ମଦ ବିକ୍ରି ନକରିବା ପାଇଁ ବ୍ୟବସାୟୀମାନଙ୍କୁ ଚେତାବନୀ ଦେଇଥିବା ମହିଳା କମିଟି ପକ୍ଷରୁ କୁହାଯାଇଛି।ମହିଳାମାନଙ୍କ ଏହି ଆନ୍ଦୋଳନକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସେମାନଙ୍କ ସହ ଆଲୋଚନା କରାଯାଇଥିବା ଜଣାପଡ଼ିଛି। ମଦବନ୍ଦ ଦାବି ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନିଆଯିବ ଏବଂ ମହିଳାମାନଙ୍କ ଦାବି ପୂରଣ ଦିଗରେ ପ୍ରଶାସନ ପକ୍ଷରୁ ସହଯୋଗ କରାଯିବ ବୋଲି ଆଶ୍ୱାସନା ଦିଆଯାଇଥିବା ମହିଳାମାନେ କହିଛନ୍ତି।ଗାଁରେ ମଦ ବିକ୍ରି ବନ୍ଦ କରି ଏକ ସୁସ୍ଥ ଓ ନିଶାମୁକ୍ତ ପରିବେଶ ସୃଷ୍ଟି କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମହିଳା କମିଟି ପକ୍ଷରୁ କୁହାଯାଇଛି। ଏହି ରାଲି ଓ ଦାବିପତ୍ର ପ୍ରଦାନ ସମୟରେ ମହିଳା କମିଟିର ସମସ୍ତ ସଦସ୍ୟା ଏବଂ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ।