କଳାହାଣ୍ଡିରେ ବିଜେପିର ବଡ଼ ବୈଠକ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଗୁରୁମନ୍ତ୍ର
କଳାହାଣ୍ଡି, ୨୬/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡିରେ ଅନୁଷ୍ଠିତ ହୋଇଛି ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ। ଏହି ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯୋଗଦେଇ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ଦଳୀୟ ସଂଗଠନ, କାର୍ଯ୍ୟକର୍ତ୍ତାଙ୍କ ଭୂମିକା ଓ ନିର୍ବାଚନୀ ପ୍ରସ୍ତୁତି ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ। ବୈଠକରେ ତୃଣମୂଳସ୍ତରରେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା, କାର୍ଯ୍ୟକର୍ତ୍ତାଙ୍କୁ ଏକଜୁଟ କରିବା ଏବଂ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଓ ରଣନୀତି ନେଇ ଆଲୋଚନା ହୋଇଥିଲା। ରାଜ୍ୟ ସଭାପତି ମନମୋହନ ସାମଲ ସଂଗଠନକୁ ତଳସ୍ତରରୁ ସୁଦୃଢ଼ କରିବା ସହ ଲୋକଙ୍କ ନିକଟରେ ଦଳୀୟ କାର୍ଯ୍ୟକ୍ରମ ଏବଂ ସରକାରଙ୍କ ବିଭିନ୍ନ ଯୋଜନା ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। ଏହି କାର୍ଯ୍ୟକାରିଣୀ ବୈଠକରେ ଲୋକସଭା ସାଂସଦ ମାଲବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ କୁମାର, କଳାହାଣ୍ଡି ଜିଲ୍ଲା ସଭାପତି ଯୁଗଳ ପୋଢ଼, ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଶୀଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ।