ଓଏମସି ପୁରୀ କୋଷ୍ଟାଲ ମାରାଥନ ପ୍ରୋମୋ ରନ୍ ସହ ମାଲକାନଗିରିରେ ଧୂମଧାମରେ ପାଳିତ ହେଲା ବିଶ୍ୱ ପର୍ଯ୍ୟଟନ ଦିବସ
ମାଲକାନଗିରି, ୨୭/୦୯ (ଶରତ ଚନ୍ଦ୍ର ଖରା) : ସ୍ଥାନୀୟ ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ମାଲକାନଗିରିଠାରେ ବିଶ୍ୱ ପର୍ଯ୍ୟଟନ ଦିବସ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ଉଦ୍ୟମରେ ଓଏମସି ପୁରୀ କୋଷ୍ଟାଲ ମାରାଥନ ଓଡ଼ିଶା ପ୍ରୋମୋ ରନର ଆୟୋଜନ କରାଯାଇଥିଲା। ଏହି ଦୌଡ଼ ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରୁ ଆରମ୍ଭ ହୋଇ ପ୍ରସିଦ୍ଧ ମଲ୍ଲିକେଶ୍ୱର ଶିବ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ଏହି ମାରାଥନକୁ ମାଲକାନଗିରି ଜିଲ୍ଲା ବନଖଣ୍ଡ ଅଧିକାରୀ ସାଇ କିରଣ ଡି ଏନ୍ ଆନୁଷ୍ଠାନିକ ଭାବେ ଫ୍ଲାଗ୍ ଅଫ୍ କରି ଉଦଘାଟନ କରିଥିଲେ। ଏହି ଅବସରରେ ଜିଲ୍ଲା ବନଖଣ୍ଡ ଅଧିକାରୀ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ପର୍ଯ୍ୟଟନ ଏବଂ କ୍ରୀଡ଼ାର ଏଭଳି ସମନ୍ୱୟ ମାଲକାନଗିରିର ଯୁବପିଢ଼ିଙ୍କ ମଧ୍ୟରେ ଏକ ନୂତନ ଶକ୍ତି ଭରିବ। ପ୍ରକୃତିର ସୁରକ୍ଷା ସହ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଏହି ମାରାଥନର ମୂଳ ଉଦ୍ଦେଶ୍ୟ ଏବଂ ଆଜିର ଏହି ପ୍ରୋମୋ ରନ୍ ଆଗାମୀ ପୁରୀ କୋଷ୍ଟାଲ ମାରାଥନ ପାଇଁ ଏକ ସୁନ୍ଦର ବାର୍ତ୍ତା ବହନ କରୁଛି ବୋଲି ସେ ପ୍ରକାଶ କରିଥିଲେ। ଏହି ଉଦଘାଟନୀ ମହୋତ୍ସବ ସମୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ଉପଜିଲ୍ଲାପାଳ ଦୂର୍ଯ୍ୟଧନ ଭୋଇ, କ୍ରୀଡ଼ା ଅଧିକାରୀ ମୁନା ତୁରୁକ୍, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧାରୁଆ ଏବଂ ଜିଲ୍ଲା ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ସ୍ୱୟଂସିଦ୍ଧ ରାଉତ ଏହି ସମଗ୍ର କାର୍ଯ୍ୟକ୍ରମର ସଫଳ ପରିଚାଳନା ଓ ସଂଯୋଜନା କରିଥିଲେ। ଏହି ପ୍ରୋମୋ ରନରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୫୦୦ ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ଏବଂ ସମସ୍ତଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା। ମାରାଥନ ସଫଳତାର ସହ ଶେଷ ହେବା ପରେ ମଲ୍ଲିକେଶ୍ୱର ପୀଠ ପ୍ରାଙ୍ଗଣରେ ଏକ ସ୍ୱତନ୍ତ୍ର ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ସଂବର୍ଦ୍ଧନା ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ନିଜ ବକ୍ତବ୍ୟରେ କହିଥିଲେ ଯେ, ଓଡ଼ିଶାର ପର୍ଯ୍ୟଟନ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ପୁରୀ କୋଷ୍ଟାଲ ମାରାଥନ ଏକ ସ୍ୱତନ୍ତ୍ର ପ୍ରୟାସ। ମାଲକାନଗିରି ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଅଞ୍ଚଳରେ ଏହି ପ୍ରୋମୋ ରନରେ ଯୁବପିଢ଼ିଙ୍କ ଏଭଳି ବହୁସଂଖ୍ୟାରେ ଅଂଶଗ୍ରହଣ ପ୍ରମାଣ କରୁଛି ଯେ ଆମର କ୍ରୀଡ଼ା ଓ ପର୍ଯ୍ୟଟନ କ୍ଷେତ୍ର ଆଗକୁ ଆହୁରି ସମୃଦ୍ଧ ହେବ।ଏହାସହ ସେ ସୂଚନା ଦେଇ କହିଥିଲେ ଯେ, ଆସନ୍ତା ଡିସେମ୍ବର ୧୩ ତାରିଖ ଦିନ ପୁରୀଠାରେ ମୂଳ ଓଏମସି ପୁରୀ କୋଷ୍ଟାଲ ମାରାଥନ ଆୟୋଜିତ ହେବାକୁ ଯାଉଛି। ଏହି ବିଶାଳ ପ୍ରତିଯୋଗିତାରେ ମାଲକାନଗିରି ଜିଲ୍ଲାର ଯୁବଗୋଷ୍ଠୀ ବହୁ ସଂଖ୍ୟାରେ ଯୋଗଦେଇ ଜିଲ୍ଲାର ପ୍ରତିନିଧିତ୍ୱ କରିବା ପାଇଁ ସେ ସମସ୍ତଙ୍କୁ ବିଶେଷ ଭାବେ ଉତ୍ସାହିତ କରିଥିଲେ। ଏହି ସଫଳ ଆୟୋଜନ ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟଟନର ପ୍ରସାର ଏବଂ କ୍ରୀଡ଼ା ପ୍ରତି ଜନସାଧାରଣଙ୍କ ଆଗ୍ରହ ବଢ଼ାଇବାରେ ବେଶ ସହାୟକ ହେବ ବୋଲି ପ୍ରଶାସନ ତରଫରୁ ଆଶା ବ୍ୟକ୍ତ କରାଯାଇଛି।