ରାସ୍ତା ନଥିବାରୁ ଖଟିଆରେ ଗର୍ଭବତୀ! ୩ କି.ମି କାଦୁଅ ରାସ୍ତାରେ ବୋହିଲେ ଗ୍ରାମବାସୀ
ରାୟଗଡ଼ା, ୧୩/୦୯ ( ଭି. ଗୌରି ଶଙ୍କର ରାଓ ) : ଆମ ରାୟଗଡ଼ା ସ୍ୱାଧୀନତାର ୭୯ ବର୍ଷ ପରେ ମଧ୍ୟ ରାୟଗଡ଼ା ଜିଲ୍ଲାର ଦୁର୍ଗମ ଅଞ୍ଚଳର ଲୋକେ ଆଜି ବି ରାସ୍ତା ପାଇଁ ସଂଘର୍ଷ କରୁଛନ୍ତି। ଏହାର ତାଜା ଉଦାହରଣ ଦେଖିବାକୁ ମିଳିଛି ଗୁଡ଼ାରୀ ବ୍ଲକ ଶିରିଗୁଡ଼ା ଗ୍ରାମପଞ୍ଚାୟତ ଅଧୀନ ସାଡକଣା ଗ୍ରାମରେ। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ସାଡକଣା ଗ୍ରାମର ସୁମି କାଡ୍ରାକା (୨୪) ନାମକ ଜଣେ ୯ ମାସର ଗର୍ଭବତୀ ମହିଳାଙ୍କର ହଠାତ୍ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ପରିବାର ଲୋକେ ଭୟଭୀତ ହୋଇ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଆମ୍ବୁଲାନ୍ସ ଗାଁ ଆଡକୁ ଆସିଥିଲା ସତ, କିନ୍ତୁ ଗାଁକୁ ଯିବା ପାଇଁ ପକ୍କା ରାସ୍ତା ନଥିବାରୁ ଏବଂ ବର୍ଷା ଯୋଗୁଁ ରାସ୍ତା ସମ୍ପୂର୍ଣ୍ଣ କାଦୁଅ ଓ ପାଣିରେ ଭର୍ତି ହୋଇଥିବାରୁ ଆମ୍ବୁଲାନ୍ସଟି ବଡ଼ପଙ୍କାଳ ଛକ ନିକଟରେ ଅଟକି ଯାଇଥିଲା। ଗାଁ ଭିତରକୁ ଆଉ ଯାଇପାରିଲା ନାହିଁ। ଶେଷରେ କୌଣସି ଉପାୟ ନପାଇ ମହିଳାଙ୍କ ସ୍ୱାମୀ, ସମ୍ପର୍କୀୟ ଓ ଗ୍ରାମବାସୀ ମିଶି ଏକ ଖଟିଆରେ ଗର୍ଭବତୀ ମହିଳାଙ୍କୁ ଶୁଆଇ କାନ୍ଧରେ ବୋହିଲେ। ଆଣ୍ଠୁଏ କାଦୁଅ, ନାଳ ଓ ଖାଲକୁ ଅତିକ୍ରମ କରି ପ୍ରାୟ ୩.୫ କିଲୋମିଟର ଦୂର ପର୍ଯ୍ୟନ୍ତ ବୋହି ବୋହି ବଡ଼ପଙ୍କାଳ ନିକଟରେ ଛିଡା ହୋଇଥିବା ଆମ୍ବୁଲାନ୍ସ ପାଖକୁ ନେଇଥିଲେ। ପରେ ସେଠାରୁ ତାଙ୍କୁ ଗୁଡ଼ାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ମା' ଓ ଶିଶୁ ଉଭୟ ସୁସ୍ଥ ଥିବା ଜଣାପଡିଛି। ଗ୍ରାମବାସୀଙ୍କ କ୍ଷୋଭ ସାଡକଣା ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗତ ୧୦ ବର୍ଷ ହେଲା ସେମାନେ ଗାଁକୁ ପକ୍କା ରାସ୍ତା ପାଇଁ ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ବାରମ୍ବାର ଦାବି କରି ଆସୁଛନ୍ତି। ମାତ୍ର ପ୍ରତିଶ୍ରୁତି ବ୍ୟତୀତ କିଛି ମିଳୁନାହିଁ। ବର୍ଷା ଦିନେ ଏହି ରାସ୍ତା ପୁରା ବନ୍ଦ ହୋଇଯାଏ, ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ। ସ୍କୁଲ ପିଲା ହେଉ କି ରୋଗୀ, ସମସ୍ତେ ହଇରାଣ ହେଉଛନ୍ତି। ପ୍ରଶାସନର ପ୍ରତିକ୍ରିୟାକୁ ଅପେକ୍ଷା ଏହି ଘଟଣା ସାମ୍ନାକୁ ଆସିବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ରାସ୍ତା ଅଭାବରୁ ଏଭଳି ଅମାନବୀୟ ଦୃଶ୍ୟ ଆଜି ବି ଦେଖିବାକୁ ମିଳୁଛି। ଏବେ ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ଗାଁକୁ ରାସ୍ତା ଯୋଗାଇବ ନା ପୁଣି ଏହି ଘଟଣା କେବଳ ଫାଇଲରେ ରହିଯିବ, ତାହାକୁ ନେଇ ସମସ୍ତଙ୍କ ନଜର ରହିଛି