ବାଲେଶ୍ଵର, ୧୭/୦୮ ( ପ୍ରଭାକର ମଲ୍ଲିକ ) : ବାଲେଶ୍ୱର ଜିଲ୍ଲା ବସ୍ତା ଏନ୍ଏସି ଅନ୍ତର୍ଗତ କାଶିମାରୀ ଗାଁରେ ବନ୍ୟାର ଭୟାବହ ଚିତ୍ର। ଜଳକା ନଦୀର ଭୟଙ୍କର ବନ୍ୟା ଯୋଗୁଁ ରାସ୍ତା ଉପରେ ୩ ରୁ ୪ଫୁଟ ବନ୍ୟାଜଳ।ସରକାର ଆଦିବାସୀ ଓ ହରିଜନ ଲୋକଙ୍କ ଉନ୍ନତି ପାଇଁ ବହୁମୁଖୀ ଯୋଜନା କରିବା ସହ ସେମାନଙ୍କ ମୌଳିକ ସମସ୍ୟା ଦୂର କରିବାକୁ ଉଦ୍ୟମ କରୁଥିବା ବେଳେ ବସ୍ତା ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବସ୍ତା ବ୍ଲକ ଠାରୁ ମାତ୍ର ଅଧ କିଲୋମିଟର ଦୂରରେ ଥିବା ସଦାନନ୍ଦପୁର ପଞ୍ଚାୟତ ତଥା ବସ୍ତା ଏନ୍ଏସି ଅନ୍ତର୍ଗତ କାଶିମାରୀ ଆଦିବାସୀ ସାହିକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ନଥିବାରୁ ଦୟନୀୟ ଅବସ୍ଥାରେ ଯାତାୟାତ କରୁଛନ୍ତି ଗ୍ରାମବାସୀ। ବିଶେଷକରି ବୃଦ୍ଧ, ବୃଦ୍ଧା ଓ ଗର୍ଭବତୀ ମହିଳାଙ୍କ ପାଇଁ ଖଟିଆ ହିଁ ଏକମାତ୍ର ଭରସା ପାଲଟିଛି। ଆଜି ସକାଳେ ଗ୍ରାମର ଜଣେ ବୃଦ୍ଧ କାମ ଖୋଜିବାକୁ ଆସିଥିବା ସମୟରେ ବନ୍ୟାଜଳରେ ଭାସି ଯାଇଥିଲେ। ଦୀର୍ଘ ସମୟ ଧରି ପାଣିରେ ଭାସୁଥିବା ବେଳେ ଗ୍ରାମର କିଛି ଯୁବକ ତାଙ୍କୁ ଉଦ୍ଧାର କରିଥିଲେ।ପରେ ୧୦୮ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିବା ଅଭିଯୋଗ ହୋଇଛି। ଫଳରେ ଗ୍ରାମବାସୀ ବାଧ୍ୟ ହୋଇ ଖଟିଆରେ ରୋଗୀଙ୍କୁ କାନ୍ଧେଇ ପ୍ରାୟ ୩ କିଲୋମିଟର ରାସ୍ତା ଅତିକ୍ରମ କରି ବସ୍ତା ଡାକ୍ତରଖାନାକୁ ନେଇଥିଲେ।ଏହି ଅଞ୍ଚଳ ବନ୍ୟାପ୍ରବଣ ହୋଇଥିବାରୁ ଏଠାକାର ଲୋକେ ଦୀର୍ଘଦିନ ଧରି ରାସ୍ତାଟିଏ ପାଇଁ ନେତୃତ୍ୱ ମଣ୍ଡଳୀ ଓ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରିଆସୁଛନ୍ତି। ହେଲେ ଏଯାଏଁ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତା ଅଭାବରୁ ଗ୍ରାମବାସୀ ଜରୁରୀକାଳୀନ ସେବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି।
ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
