Hot Posts

6/recent/ticker-posts

ରାକ୍ଷୀରେ ଗଛକୁ ବାନ୍ଧିଲେ ସମ୍ପର୍କର ସୂତା — ରକ୍ଷା ବନ୍ଧନରେ ଗଛ ସୁରକ୍ଷାର ନିଆରା ବାର୍ତ୍ତା ଦେଲେ ଗଣେଶ ସାର l

ବାଲେଶ୍ଵର, ୨୭/୦୮ ( ପ୍ରଭାକର ମଲ୍ଲିକ ) : ପବିତ୍ର ରକ୍ଷା ବନ୍ଧନ ଅବସରରେ ଭାଇ-ଭଉଣୀଙ୍କ ସ୍ନେହ ଓ ସୁରକ୍ଷାର ପବିତ୍ର ସମ୍ପର୍କକୁ ଏକ ନୂଆ ଅର୍ଥ ଦେଇଛନ୍ତି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ଆଦର୍ଶ ଶିକ୍ଷକ ଗଣେଶ ଚନ୍ଦ୍ର ଜେନା। ରକ୍ଷା ବନ୍ଧନର ଏହି ପବିତ୍ର ଦିନରେ ସେ ଅରଣ୍ୟ ଓ ପରିବେଶକୁ ଭୁଲି ନାହାନ୍ତି। ମଣିଷ ଓ ଗଛ ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ମନେ ପକାଇବା ସହ ଗଛଗୁଡ଼ିକରେ ରାକ୍ଷୀ ବାନ୍ଧି ଏକ ନିଆରା ସଚେତନତାର ବାର୍ତ୍ତା ଦେଇଛନ୍ତି। ତାଙ୍କ ଏହି ଅଭିନବ ପଦକ୍ଷେପ ମାଧ୍ୟମରେ ସେ ବୁଝାଇଛନ୍ତି ଯେ,ଗଛ କେବଳ ପ୍ରକୃତିର ଅଂଶ ନୁହେଁ; ଏହା ମଣିଷ ଜୀବନର ଏକ ଅବିଚ୍ଛେଦ୍ୟ ସାଥୀ। ଗଛ ଆମକୁ ଅମ୍ଳଜାନ, ଛାୟା, ଫଳ, ଔଷଧ ଓ ଜୀବନ ଧାରଣ ପାଇଁ ଆବଶ୍ୟକ ପରିବେଶ ଦେଇଥାଏ। ତେଣୁ ଯେପରି ଭାଇ-ଭଉଣୀ ପରସ୍ପରର ସୁରକ୍ଷାର ସଂକଳ୍ପ ନିଅନ୍ତି, ସେହିପରି ଗଛ ଓ ପରିବେଶର ସୁରକ୍ଷା କରିବା ମଧ୍ୟ ଆମ ସମସ୍ତଙ୍କ ଦାୟିତ୍ୱ। ଗଛରେ ରାକ୍ଷୀ ବାନ୍ଧି ଗଣେଶ ସାର ମଣିଷ ସମାଜକୁ ଯେଉଁ ବାର୍ତ୍ତା ଦେଇଛନ୍ତିl ତାହା ଆଜିର ସମୟରେ ଅତ୍ୟନ୍ତ ପ୍ରାସଙ୍ଗିକ। ତାଙ୍କର ଏହି ପରିବେଶପ୍ରେମୀ ପ୍ରୟାସ ସ୍ଥାନୀୟ ଅଞ୍ଚଳରେ ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛି। “ଗଛକୁ ରକ୍ଷା କରିବା ଅର୍ଥ ନିଜ ଜୀବନ କୁ ରକ୍ଷା କରିବା”। ଏହି ସନ୍ଦେଶ ସହ ରକ୍ଷା ବନ୍ଧନକୁ ପରିବେଶ ସୁରକ୍ଷାର ଏକ ନୂଆ ଅଭିଯାନରେ ପରିଣତ କରିଛନ୍ତି ଗଣେଶ ସାର। ତାଙ୍କର ଏହି ନିଆରା ପ୍ରୟାସ ଆମ ସମସ୍ତଙ୍କୁ ଗୋଟିଏ କଥା ମନେ ପକାଇ ଦିଏ ଗଛ ସହ ସମ୍ପର୍କ ଯୋଡ଼ନ୍ତୁ, ପ୍ରକୃତିକୁ ରକ୍ଷା କରନ୍ତୁ।ପ୍ରକୃତି ବଞ୍ଚିଲେ ହିଁ ମଣିଷ ସମାଜ ବଞ୍ଚିବ।



ବାଲେଶ୍ୱର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l