ବାହାବଳପୁର ମାଛଧରା କେନ୍ଦ୍ରରେ ନଦୀ ମୁହାଣ ପୋତି ହେଉଛି, ଦୁର୍ଦ୍ଦିନରେ ୨୦ହଜାର ମତ୍ସ୍ୟଜୀବୀ, ମତ୍ସ୍ୟ ବ୍ୟବସାୟୀ l
ବାଲେଶ୍ଵର , ୨୬/୦୮ ( ପ୍ରଭାକର ମଲ୍ଲିକ ) : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବାହାବଳପୁର ମାଛଧରା କେନ୍ଦ୍ରର ସାମଗ୍ରିକ ବିକାଶ ହେଉ ନାହିଁ l ସରକାରଙ୍କ ଉଦାସୀନତା ମନୋଭାବ ଓ ପ୍ରତିଶୃତି ପାଣିର ଗାର ସଦୃଶ ପାଲଟିଛି । ଜିଲାର ବିଭିନ୍ନ ଅଞ୍ଚଳର ୨୦ ହଜାରରୁ ଉର୍ଦ୍ଧ୍ୱ ମତ୍ସ୍ୟଜୀବୀ ଓ ମତ୍ସ୍ୟ ବ୍ୟବସାୟୀ ଏହି କେନ୍ଦ୍ର ଉପରେ ନିର୍ଭର ଶୀଳ। ବୋଟ, ଟ୍ରଲର, ଲଞ୍ଚ ଯୋଗେ ସମୁଦ୍ରରୁ ମାଛ ମାରିବା ଏବଂ ସେଠାରୁ ମାଛ ନେଇ ବ୍ୟବସାୟ କରି ମତ୍ସ୍ୟଜୀବୀ ଓ ବ୍ୟବସାୟୀ ମାନେ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ହେଲେ ଏହି ମାଛଧରା କେନ୍ଦ୍ରରେ ନଦୀ ମୁହାଣ ପୋତି ଯାଇଥିବାରୁ ବିପଦ ସୃଷ୍ଟି ହୋଇଛି । ଅପରପକ୍ଷରେ ଚଳିତବର୍ଷ ବନ୍ୟା ଯୋଗୁଁ ଏହି ମୁହାଣରେ ବାଲିଚର ପଡ଼ି ଅଧିକ ପରିମାଣରେ ପୋତି ହୋଇଯାଇଛି। ଫଳରେ ଶତାଧିକ ବୋଟ, ଟ୍ରଲର, ଲଞ୍ଚ ଆଦି ମୁହାଣରୁ ସମୁଦ୍ର ଭିତରକୁ ଯା’ ଆସ କରିପାରୁନାହାନ୍ତି।ଦୀର୍ଘଦିନ ଜଳଯାନଗୁଡ଼ିକ ମୁହାଣ ନିକଟରେ ଅଟକି ରହିଛନ୍ତି। ଫଳରେ ବୋଟ,ଟ୍ରଲର ମାଲିକମାନେ କ୍ଷତିଗ୍ରସ୍ତ ହେବା ସହ ମତ୍ସ୍ୟଜୀବୀଙ୍କ ପରିବାର ଦୁର୍ଦ୍ଦିନରେ ରହିଥିବା ଅଭିଯୋଗ ହୋଇଛି। ଗତ ଜାନୁଆରୀ ମକର ପର୍ବ ଉପଲକ୍ଷେ ଏଠାରେ ଆୟୋଜିତ ଗଙ୍ଗାମାତା ପୂଜା ଉତ୍ସବରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ,ସାଂସଦ ଓ ବିଧାୟକ ଯୋଗ ଦେଇଥିଲେ। ବାହାବଳପୁର ମତ୍ସଜୀବୀ ଓ ମତ୍ସ ବ୍ୟବସାୟୀ ସଙ୍ଘ ପକ୍ଷରୁ ନଦୀ ମୁହାଣ ଖନନ ଓ ସେଠାରେ ପଥରବନ୍ଧ ନିର୍ମାଣ, ସୋଲପଟା ଠାରୁ ବାହାବଳପୁର ମୁହାଣ ପର୍ଯ୍ୟନ୍ତ ସ୍ଥାୟୀ ରାସ୍ତା ନିର୍ମାଣ ଆଦି ସମ୍ପର୍କରେ ଦାବିପତ୍ର ଦିଆଯାଇଥିଲା। ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ମଧ୍ୟ ମିଳିଥିଲା। ଇତିମଧ୍ୟରେ ୭ ମାସ ବିତିଗଲାଣି l ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଅସନ୍ତୋଷ ଦେଖାଦେଇଛି। ସଙ୍ଘର ସଭାପତି ବିକାଶ ଦାସ, ସମ୍ପାଦକ ଗୋରାଚାନ୍ଦ ଜେନା, ଦୁବୁଲlଗଡ଼ି ସରପଞ୍ଚ ପ୍ରବୀର କୁମାର ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତା ଜେଟି ଠାରୁ ସମୁଦ୍ର ମୁହାଣ ପର୍ଯ୍ୟନ୍ତ ନଦୀର ପୁନରୁଦ୍ଧାର ଓ ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି
ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l