ଭବାନୀପାଟଣାରେ କଳାହାଣ୍ଡି ପ୍ରୋଫେସନାଲ ଫଟୋଗ୍ରାଫର ଆସୋସିଏସନ (KpPA) ପକ୍ଷରୁ 'ବିଶ୍ୱ ଫଟୋଗ୍ରାଫି ଦିବସ' ପାଳିତ
ଭବାନୀପାଟଣା, ୧୯/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : ଆଜି ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ କଳାହାଣ୍ଡି ପ୍ରୋଫେସନାଲ ଫଟୋଗ୍ରାଫର ଆସୋସିଏସନ (KpPA) ପକ୍ଷରୁ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଫଟୋଗ୍ରାଫି କଳା ପ୍ରତି ଶ୍ରଦ୍ଧା ଓ ଆଦର ସୃଷ୍ଟି କରିବା ସହ ସଙ୍ଘର ସମସ୍ତ ସଦସ୍ୟଙ୍କ ନିରବଚ୍ଛିନ୍ନ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ସମାରୋହର ଆୟୋଜନ କରାଯାଇଥିଲା। ସଙ୍ଘ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନ ୪:୦୦ ଟାରେ ଭବାନୀପାଟଣାସ୍ଥିତ ଭାରତୀ ଫଟୋ ଷ୍ଟୁଡିଓଠାରେ ଆସୋସିଏସନର ୩୦ ରୁ ଊର୍ଦ୍ଧ୍ୱ ଫଟୋଗ୍ରାଫର ଭାଇ ଉପସ୍ଥିତ ରହି କେକ୍ କାଟି ବିଶ୍ୱ ଫଟୋଗ୍ରାଫି ଦିବସ ପାଳନ କରିଥିଲେ। ଏହାପରେ ସନ୍ଧ୍ୟା ୫:୦୦ ଟାରେ ସମସ୍ତ ସଦସ୍ୟ ମାଁ ମାଣିକେଶ୍ୱରୀଙ୍କ ଦର୍ଶନ କରିବା ସହ ମନ୍ଦିର ସମ୍ମୁଖରେ ସାମୂହିକ (ଗ୍ରୁପ୍) ଫଟୋ ଉତ୍ତୋଳନ କରିଥିଲେ। ସନ୍ଧ୍ୟା ୫:୩୦ ରେ 'ଲଲିତ ଇଲେକ୍ଟ୍ରୋନିକ୍ସ'ର ନିମନ୍ତ୍ରଣ କ୍ରମେ ସେଠାରେ KpPAର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ପୁନର୍ବାର କେକ୍ କଟାଯିବା ସହ ଉପସ୍ଥିତ ସାମ୍ବାଦିକ ଓ ଫଟୋଗ୍ରାଫରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଶୁଭ ଅବସରରେ ସମସ୍ତ ସଦସ୍ୟଙ୍କ ସର୍ବସମ୍ମତି କ୍ରମେ ବରିଷ୍ଠ ଫଟୋଗ୍ରାଫର ଶ୍ରୀମାନ୍ ରଞ୍ଜନ ସାହୁଙ୍କୁ କଳାହାଣ୍ଡି ପ୍ରୋଫେସନାଲ ଫଟୋଗ୍ରାଫର ଆସୋସିଏସନ (KpPA) ର ନୂତନ ଉପଦେଷ୍ଟା (ଆଡଭାଇଜର) ରୂପେ ମନୋନୀତ କରାଯାଇଥିଲା। KpPA ସଭାପତି ଶ୍ରୀ ପ୍ରଦୀପ ରାଉତଙ୍କ ନିର୍ଦ୍ଦେଶକ୍ରମେ କଳାହାଣ୍ଡି ଜିଲ୍ଲାର ପ୍ରତ୍ୟେକ ବ୍ଲକର ଫଟୋଗ୍ରାଫରମାନେ ନିଜ ନିଜ ଅଞ୍ଚଳରେ ଏହି ଦିବସ ପାଳନ କରିଛନ୍ତି। ବିଶେଷ କରି କେସିଙ୍ଗା, ଧର୍ମଗଡ଼, ଗୋଲାମୁଣ୍ଡା, ନର୍ଲା, ଏମ. ରାମପୁର, ଉତ୍କେଲା ଓ ଜୟପାଟଣା ଆଦି ସ୍ଥାନରେ ଥିବା ଷ୍ଟୁଡ଼ିଓଗୁଡ଼ିକରେ ବେଶ୍ ଉତ୍ସାହର ସହ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି। ସମସ୍ତ କାର୍ଯ୍ୟକ୍ରମକୁ ସଫଳ ଓ ସାଫଲ୍ୟମଣ୍ଡିତ କରିଥିବାରୁ KpPAର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ଦୁଃଖୀଶ୍ୟାମ ପ୍ରଧାନ ସଂଘର ସମସ୍ତ ସଦସ୍ୟଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ