Hot Posts

6/recent/ticker-posts

ତିଜିମାଳି ଖଣି ଖନନକୁ ବିରୋଧ ଆନ୍ଦୋଳନକାରୀ ହିରାମଳ ନାଏକଙ୍କୁ ପୋଲିସ ଉଠାଇନେବା ଅଭିଯୋଗ I

କଳାହାଣ୍ଡି, ୨୮/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା,ଥୁଆମୂଳ ରାମପୁର ବ୍ଲକ ଶ୍ରାବଣୀ ପର୍ବର ଯଜ୍ଞସ୍ଥଳରୁ ନେଇଗଲା କର୍ଲାପାଟ ଓ ଥୁଆମୂଳ ରାମପୁର ପୋଲିସ ଘଟଣାକୁ ନେଇ ଅଞ୍ଚଳରେ ଚାଲିଛି ଚର୍ଚ୍ଚା I କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳର ତିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ଚାଲିଥିବା ବିରୋଧ ଓ ଆନ୍ଦୋଳନ ମଧ୍ୟରେ ଏବେ ଜଣେ ଆନ୍ଦୋଳନକାରୀଙ୍କୁ ପୋଲିସ ନେଇଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ମା’ ମାଟି ମାଳି ସୁରକ୍ଷା ମଞ୍ଚର ସଦସ୍ୟ ତଥା ତିଜିମାଳି ଖଣି ଖନନ ବିରୋଧୀ ଆନ୍ଦୋଳନରେ ସାମିଲ ଥିବା ହିରାମଳ ନାଏକଙ୍କୁ ପୋଲିସ ଉଠାଇନେଇଥିବା ଅଭିଯୋଗ ହୋଇଛି I ସୂଚନା ଅନୁସାରେ, ଡାକକୋଟା ଗାଁରେ ଗାୟତ୍ରୀ ପରିବାର ପକ୍ଷରୁ ଶ୍ରାବଣୀ ପର୍ବ ଅବସରରେ ଏକ ଧାର୍ମିକ ଉତ୍ସବ ଓ ଯଜ୍ଞ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ଯୋଗଦେବା ପାଇଁ ହିରାମଳ ନାଏକ ଡାକକୋଟା ଗାଁକୁ ଆସିଥିଲେ । ଯଜ୍ଞସ୍ଥଳରେ କାର୍ଯ୍ୟକ୍ରମ ଚାଲିଥିବା ସମୟରେ କର୍ଲାପାଟ ଓ ଥୁଆମୂଳ ରାମପୁର ପୋଲିସ ତାଙ୍କୁ ସେଠାରୁ ନେଇଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଛି । ହିରାମଳ ନାଏକ ତିଜିମାଳି ପାହାଡ଼ରେ ଖଣି ଖନନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନରେ ସାମିଲ ରହିଆସିଛନ୍ତି । ତିଜିମାଳି ପାହାଡ଼କୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଜମି,ଜଙ୍ଗଲ,ପାହାଡ଼ ଓ ପରିବେଶ ସୁରକ୍ଷାକୁ ନେଇ ବିଭିନ୍ନ ମତ ଓ ଦାବି ରହିଥିବା ବେଳେ ଖଣି ଖନନ ପ୍ରସଙ୍ଗକୁ ନେଇ ସମୟ ସମୟରେ ବିରୋଧର ସ୍ୱର ମଧ୍ୟ ଶୁଣିବାକୁ ମିଳିଛି I ଏଭଳି ପରିସ୍ଥିତିରେ ଜଣେ ସକ୍ରିୟ ଆନ୍ଦୋଳନକାରୀଙ୍କୁ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ଯଜ୍ଞସ୍ଥଳରୁ ପୋଲିସ ନେଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି I ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରଶ୍ନ ଓ ଆଲୋଚନା ଦେଖାଦେଇଛି I ତେବେ ହିରାମଳ ନାଏକଙ୍କୁ କେଉଁ ନିର୍ଦ୍ଦିଷ୍ଟ କାରଣରୁ ପୋଲିସ ନେଇଛି,ତାଙ୍କ ବିରୋଧରେ କୌଣସି ଅଭିଯୋଗ କିମ୍ବା ମାମଲା ରହିଛି କି ନାହିଁ,ତାଙ୍କୁ ପଚରାଉଚରା ପାଇଁ ନିଆଯାଇଛି ନା ଅନ୍ୟ କୌଣସି କାରଣ ରହିଛି—ସେନେଇ ଏଯାଏଁ ସ୍ପଷ୍ଟତା ମିଳିନାହିଁ I ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ ମଧ୍ୟ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିପାରିନାହିଁ । ଫଳରେ ହିରାମଳ ନାଏକଙ୍କୁ କେଉଁ ପରିସ୍ଥିତିରେ ଓ କେଉଁ କାରଣରୁ ପୋଲିସ ନେଇଛି, ତାହା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍କଣ୍ଠା ଓ ଚର୍ଚ୍ଚା ଜାରି ରହିଛି I ଅନ୍ୟପକ୍ଷରେ,ତିଜିମାଳି ଖଣି ଖନନକୁ ନେଇ ଆଗାମୀ ଦିନରେ ଆନ୍ଦୋଳନ କେଉଁ ଦିଗକୁ ଯିବ ଏବଂ ହିରାମଳ ନାଏକଙ୍କୁ ପୋଲିସ ନେଇଯିବା ଘଟଣାରେ ପ୍ରଶାସନ ଓ ପୋଲିସ ପକ୍ଷରୁ କି ପ୍ରକାର ସ୍ପଷ୍ଟୀକରଣ ଦିଆଯିବ,ତାହା ଉପରେ ଏବେ ନଜର ରହିଛ I ଘଟଣାର ସଠିକ୍ କାରଣ ସ୍ପଷ୍ଟ ହେବା ପରେ ହିଁ ଏହି ଘଟଣାର ପ୍ରକୃତ ପୃଷ୍ଠଭୂମି ସାମ୍ନାକୁ ଆସିପାରିବ I

କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ