Hot Posts

6/recent/ticker-posts

ଅଳିଆ ଆବର୍ଜନାରେ ଅସ୍ୱାସ୍ଥ୍ୟକର ପରିବେଶ, ଶିଶୁ ଭବନର ପୁରୁଣା ଦ୍ୱାର ଅବ୍ୟବସ୍ଥିତ, ମରାମତି କରି ଖୋଲିବାକୁ ଦାବି

କଟକ, ୨୮/୦୮ ( କାହୁଁ ଚରଣ ବାରିକ ) : କଟକ ଚାନ୍ଦିନୀଚୌକସ୍ଥିତ ସର୍ଦାର ବଲ୍ଲଭଭାଇ ପଟେଲ ଶିଶୁ ଭବନର ଲାଲବାଗ ଥାନା ସମ୍ମୁଖରେ ଥିବା ପୁରୁଣା ଦ୍ୱାରର ଅବସ୍ଥା ଦୟନୀୟ ହୋଇପଡ଼ିଛି। ଦ୍ୱାର ନିକଟରେ ଅଳିଆ ଆବର୍ଜନା ଜମା ହେବା ସହ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିବାରୁ ରୋଗୀଙ୍କ ଅଭିଭାବକ ଓ ସାଧାରଣ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଦୀର୍ଘଦିନ ଧରି ବ୍ୟବହାରରେ ନଥିବା ଏହି ପୁରୁଣା ଦ୍ୱାରକୁ ମରାମତି କରି ପୁନଃ ଖୋଲାଗଲେ ରୋଗୀ ଓ ତାଙ୍କ ଅଭିଭାବକଙ୍କ ଯାତାୟାତରେ ସୁବିଧା ହୋଇପାରିବ। ବିଶେଷକରି ସହର ପଟୁ ଶିଶୁ ଭବନକୁ ଆସୁଥିବା ରୋଗୀମାନେ ଏହି ଦ୍ୱାର ଦେଇ ସିଧାସଳଖ ପ୍ରବେଶ କରିପାରିଲେ କାଠଯୋଡ଼ି ନଦୀ ପାର୍ଶ୍ୱରେ ଥିବା ମୁଖ୍ୟ ଦ୍ୱାର ଉପରେ ଚାପ କମିପାରିବ। ଏଥିସହ ମୁଖ୍ୟ ଦ୍ୱାର ନିକଟରେ ରୋଗୀ ଓ ଅଭିଭାବକଙ୍କ ଭିଡ଼ କମିବା ଦ୍ୱାରା ଯାତାୟାତ ବ୍ୟବସ୍ଥାରେ ମଧ୍ୟ ସୁଧାର ଆସିବା ସହ ସଡ଼କ ଦୁର୍ଘଟଣାର ଆଶଙ୍କା କମିପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ତେଣୁ ଶିଶୁ ଭବନର ଏହି ପୁରୁଣା ଦ୍ୱାରର ଆବଶ୍ୟକ ମରାମତି କରାଯିବା ସହ ଏହାର ଆଖପାଖ ଅଞ୍ଚଳକୁ ସଫାସୁତୁରା କରି ଦ୍ୱାରଟିକୁ ପୁନଃ ବ୍ୟବହାରଯୋଗ୍ୟ କରାଯାଉ ବୋଲି ରୋଗୀଙ୍କ ଅଭିଭାବକ ଓ ସାଧାରଣ ଲୋକେ ଦାବି କରିଛନ୍ତି।