ଅବ୍ୟବସ୍ଥା ଘେରରେ ଭରୁଆମୁଣ୍ଡା ଶିଶୁ ଉଦ୍ୟାନ, ରକ୍ଷଣାବେକ୍ଷଣ ଅଭାବରୁ ଜଙ୍ଗଲ ସଦୃଶ
ସିନାପାଲି, ୨୧/୮ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଭରୁଆମୁଣ୍ଡା ଗ୍ରାମରେ ଥିବା ଗ୍ରାମୀଣ ଶିଶୁ ଉଦ୍ୟାନ ଏବେ ଅବ୍ୟବସ୍ଥା ଘେରରେ ରହିଛି। ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏହି ପାର୍କଟି ଦିନେ ଦିନେ ନିଜର ସୌନ୍ଦର୍ଯ୍ୟ ହରାଇବା ସହ ଜଙ୍ଗଲ ସଦୃଶ ହୋଇପଡ଼ିଛି। ଶିଶୁମାନଙ୍କ ଖେଳକୁଦ ଓ ମନୋରଞ୍ଜନ ପାଇଁ ନିର୍ମିତ ଏହି ଉଦ୍ୟାନ ଏବେ ଅବହେଳିତ ଅବସ୍ଥାରେ ପଡ଼ି ରହିଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପାର୍କ ପରିସରରେ ଦୀର୍ଘଦିନ ଧରି ନିୟମିତ ସଫେଇ ହୋଇନଥିବାରୁ ବିଭିନ୍ନ ସ୍ଥାନରେ ଅନାବନା ଘାସ, ଗଛଲତା ଓ ଜଙ୍ଗଲ ବଢ଼ିଯାଇଛି। ଫଳରେ ପାର୍କ ଭିତରକୁ ଯିବା ଓ ଶିଶୁମାନଙ୍କ ଖେଳିବା ପାଇଁ ଅସୁବିଧା ସୃଷ୍ଟି ହେଉଛି। ଯେଉଁ ଉଦ୍ଦେଶ୍ୟରେ ପାର୍କ ନିର୍ମାଣ କରାଯାଇଥିଲା, ତାହା ଏବେ ପୂରଣ ହେଉନଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗ୍ରାମରେ ଶିଶୁମାନଙ୍କ ପାଇଁ ଏହା ଏକ ମୁଖ୍ୟ ମନୋରଞ୍ଜନ ସ୍ଥଳ ଭାବେ ରହିଛି। ପାର୍କଟି ସଠିକ୍ ଭାବେ ରକ୍ଷଣାବେକ୍ଷଣ କରାଗଲେ ଶିଶୁମାନେ ଖେଳକୁଦ କରିବା ସହ ବୟସ୍କମାନେ ମଧ୍ୟ ସକାଳ ଓ ସନ୍ଧ୍ୟା ସମୟରେ ଏଠାରେ କିଛି ସମୟ ବିତାଇ ପାରିବେ। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ପାର୍କର ଅବସ୍ଥା ଦିନକୁ ଦିନ ଖରାପ ହେଉଛି। ପାର୍କ ପରିସରରେ ବଢ଼ିଥିବା ଅନାବନା ଗଛଲତାକୁ ତୁରନ୍ତ କାଟି ସଫା କରିବା, ଆବର୍ଜନା ହଟାଇବା, ଖେଳ ସାମଗ୍ରୀଗୁଡ଼ିକର ଯାଞ୍ଚ କରି ଆବଶ୍ୟକ ମରାମତି କରିବା ସହ ପାର୍କର ନିୟମିତ ରକ୍ଷଣାବେକ୍ଷଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଗ୍ରାମପଞ୍ଚାୟତ ସମ୍ମୁଖରେ ଥିବା ଏହି ଶିଶୁ ଉଦ୍ୟାନର ଏଭଳି ଅବସ୍ଥା ପ୍ରଶାସନର ନଜରକୁ ଆସିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ସମ୍ପୃକ୍ତ ବିଭାଗ ଓ ଗ୍ରାମପଞ୍ଚାୟତ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ପାର୍କକୁ ସଫାସୁତୁରା କରିବା ସହ ଏହାର ସୌନ୍ଦର୍ଯ୍ୟକରଣ ଓ ରକ୍ଷଣାବେକ୍ଷଣ କରାଯାଉ ବୋଲି ଭରୁଆମୁଣ୍ଡା ଅଞ୍ଚଳବାସୀ ଦାବି କରିଛନ୍ତି।