Hot Posts

6/recent/ticker-posts

ଶର୍ଟ ସର୍କିଟ୍‌ରୁ ଦୋକାନରେ ଅଗ୍ନିକାଣ୍ଡ, ୮ ଲକ୍ଷରୁ ଊର୍ଦ୍ଧ୍ୱ ସାମଗ୍ରୀ ପୋଡ଼ି ନଷ୍ଟ

ଭଦ୍ରକ, ୨୭/୦୮ ( ଅକ୍ଷୟ କୁମାର ବେହେରା ) : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବାଲିମେଦ ପଞ୍ଚାୟତର ବାଲିମେଦ ହାଇସ୍କୁଲ ଛକରେ ଥିବା ମହାଦେବ ଭେରାଇଟି ଷ୍ଟୋରରେ ଅଗ୍ନିକାଣ୍ଡ ଘଟି ଦୋକାନରେ ଥିବା ସମସ୍ତ ସାମଗ୍ରୀ ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସୂଚନା ଅନୁଯାୟୀ, ଦୋକାନୀ ଅକ୍ଷୟ କୁମାର ବେହେରା ଗତ ୨୫ ତାରିଖ ମଙ୍ଗଳବାର ରାତି ପ୍ରାୟ ୧୧ଟା ସମୟରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ତେବେ ୨୬ ତାରିଖ ବୁଧବାର ସକାଳ ପ୍ରାୟ ୫ଟା ୩୦ ମିନିଟ୍‌ ସମୟରେ ନିକଟସ୍ଥ ଜଣେ ଦୋକାନୀ ଫୋନ୍‌ ଯୋଗେ ତାଙ୍କ ଦୋକାନରେ ନିଆଁ ଲାଗିଥିବା ଖବର ଦେଇଥିଲେ। ଖବର ପାଇ ଅକ୍ଷୟ କୁମାର ଦୋକାନ ନିକଟରେ ପହଞ୍ଚି ତୁରନ୍ତ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ପ୍ରୟାସ ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁର ତୀବ୍ରତା ଯୋଗୁଁ ଦୋକାନରେ ଥିବା କୌଣସି ସାମଗ୍ରୀ ଉଦ୍ଧାର କରାଯାଇ ପାରିନଥିବା ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁଯାୟୀ, ବିଦ୍ୟୁତ୍‌ ଶର୍ଟ ସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଦୋକାନରେ ଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଦୋକାନୀ କହିଛନ୍ତି। ଅକ୍ଷୟ କୁମାର ବେହେରା ବାସୁଦେବପୁର ବ୍ଲକର ପୁରୁଷୋତ୍ତମପୁର ଗ୍ରାମର ବାସିନ୍ଦା। ଦୋକାନଟି ତାଙ୍କ ଜୀବିକାର ମୁଖ୍ୟ ମାଧ୍ୟମ ହୋଇଥିବାବେଳେ ଅଗ୍ନିକାଣ୍ଡରେ ସମସ୍ତ ସାମଗ୍ରୀ ନଷ୍ଟ ହୋଇଯିବାରୁ ସେ ଆର୍ଥିକ ଭାବେ ଗୁରୁତର କ୍ଷତିଗ୍ରସ୍ତ ହୋଇଛନ୍ତି। ଏପରି ସ୍ଥିତିରେ ପ୍ରଶାସନ ଘଟଣାର ତଦନ୍ତ କରି ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।