Hot Posts

6/recent/ticker-posts

ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

କୋରାପୁଟ, ୦୧/୦୮ ( ବିପିନ କୁମାର ହିଆଲ ) : ସ୍ଥାନୀୟ ସଦ୍ଭାବନା ସଭାଗୃହଠାରେ ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ତପନ କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନରେଶ ଚନ୍ଦ୍ର ସବର, ଶ୍ରୀ ଅଭିଷେକ ପାଣିଗ୍ରାହୀ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ପଦାଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନକୁ ସୁଚାରୁ ଓ ଆକର୍ଷଣୀୟ ଭାବେ ଆୟୋଜନ କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ସ୍ୱାଧୀନତା ଦିବସ ପୂର୍ବରୁ କୋରାପୁଟ ସହରର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ଏହି ଅବସରରେ ଆୟୋଜିତ ପ୍ୟାରେଡରେ ମୋଟ ୨୭ଟି ଦଳ ଅଂଶଗ୍ରହଣ କରିବେ। ସ୍ୱାଧୀନତା ଦିବସ ଅବସରରେ ରକ୍ତଦାନ ଶିବିର, ଶାରୀରିକ କ୍ରୀଡ଼ା ଓ କୌତୁକ ପୋଷାକ ପ୍ରତିଯୋଗିତା ସମେତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କ, କୁଇଜ୍, ରଚନା ଓ ବକ୍ତୃତା ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେବ। ଏଥିସହ ଜିଲ୍ଲାପାଳ ଏକାଦଶ, ସାମ୍ବାଦିକ ଏକାଦଶ ଓ ଓକିଲ ସଂଘ ଏକାଦଶ ମଧ୍ୟରେ କୌତୁକ ଫୁଟବଲ୍ ପ୍ରତିଯୋଗିତା ଆୟୋଜନ କରାଯିବ। ଅଧିକ ସଂଖ୍ୟକ ଥର ରକ୍ତଦାନ କରିଥିବା ରକ୍ତଦାତାମାନଙ୍କୁ ମଧ୍ୟ ସ୍ୱାଧୀନତା ଦିବସ ଅବସରରେ ପୁରସ୍କୃତ କରାଯିବ। ଆସନ୍ତା ଅଗଷ୍ଟ ୮ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ଜିଲ୍ଲାପାଳ ମହୋଦୟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। କୋରାପୁଟ ସହରରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଆଲୋକମାଳାରେ ସୁସଜ୍ଜିତ କରାଯିବ। ଏଥିମଧ୍ୟରୁ ଶ୍ରେଷ୍ଠ ୩ଟି ସୁସଜ୍ଜିତ ସରକାରୀ କାର୍ଯ୍ୟାଳୟକୁ ଚୟନ କରାଯାଇ ପୁରସ୍କୃତ କରାଯିବ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଜ୍ଞାନଜିତ ତ୍ରିପାଠୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ନରେଶ ଜାନୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସୁନୀଲ କୁମାର ତାଣ୍ଡି, ଜିଲ୍ଲ୍ ସ୍ୱାସ୍ଥ୍ଯ ଅଧିକାରୀ, କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ସଞ୍ଜୟ ମଣ୍ଡଳଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ଯଶୋଦା ଗାଦବା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ରାଧାରାଣୀ ସରକାର, ଶ୍ରୀ ଏ.କେ. ବେହେରା, ଶ୍ରୀ ଏସ୍.କେ. ସେଠୀ ପ୍ରମୁଖ ସହଯୋଗ କରିଥିଲେ।