ଲଗାଣ ବର୍ଷାରେ ବୋଡ଼େନ ବ୍ଲକରେ ବନ୍ୟାର ତାଣ୍ଡବ ଶିଆଳଲଟି ନାଲାକୁ ଧୋଇନେଲା ବନ୍ୟାଜଳ, ନିଜ ହାତରେ କାଠ ପୋଲ ତିଆରି କରି ଯାତାୟାତ ସ୍ୱାଭାବିକ କଲେ ଗ୍ରାମବାସୀ
ନୂଆପଡା, ୦୩/୦୮ ( ପରମେଶ୍ୱର ମେହେର ) : ଲଗାଣ ବର୍ଷା ଯୋଗୁଁ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବୋଡ଼େନ ବ୍ଲକ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ। ଲଗାତାର ବର୍ଷା ଓ ବନ୍ୟାଜଳ ପ୍ରବାହ ଯୋଗୁଁ ବ୍ଲକର ବିଭିନ୍ନ ଅଞ୍ଚଳରେ ରାସ୍ତା, ନାଲା, ପୋଲ ଓ କଲଭର୍ଟ ଉପରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାର ପ୍ରଭାବରେ ଅନେକ ଅଞ୍ଚଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ବିଶେଷ କରି ଭାଇସାଦାନି ଗ୍ରାମପଞ୍ଚାୟତ ଅଧୀନ ଶିଆଳଲଟି ନାଲାରେ ବନ୍ୟାଜଳର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରବଳ ବନ୍ୟାଜଳ ନାଲାର ପ୍ରାୟ ୧୦୦ ମିଟର ଅଞ୍ଚଳକୁ ଧୋଇନେଇଥିବାରୁ ଏହି ରାସ୍ତା ଦେଇ ଲୋକଙ୍କ ଯାତାୟାତ ପ୍ରାୟ ଠପ୍ ହୋଇପଡ଼ିଥିଲା। ଫଳରେ ନାଲାର ଉଭୟ ପାର୍ଶ୍ୱରେ ଥିବା ଗ୍ରାମବାସୀମାନେ ଯାତାୟାତକୁ ନେଇ ନାନା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବନ୍ୟା ପରେ ପ୍ରଶାସନିକ ଅଧିକାରୀମାନେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ସମୟରେ ଶିଆଳଲଟି ନାଲାର ସ୍ଥିତି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ନାଲାର ମରାମତି ସହ ଯାତାୟାତ ବ୍ୟବସ୍ଥାକୁ ଶୀଘ୍ର ସ୍ୱାଭାବିକ କରିବା ପାଇଁ ଦାବି ଉଠିଥିଲା। ତେବେ ସରକାରୀ ସହାୟତାକୁ ଅପେକ୍ଷା ନକରି ନିଜ ଅଞ୍ଚଳର ସମସ୍ୟା ନିଜେ ସମାଧାନ କରିବାକୁ ଆଗେଇ ଆସିଛନ୍ତି ଗ୍ରାମବାସୀ। ଗ୍ରାମର ଲୋକମାନେ ଏକଜୁଟ ହୋଇ ଜଙ୍ଗଲରୁ କାଠ ସଂଗ୍ରହ କରି ନାଲା ଉପରେ ଅସ୍ଥାୟୀ କାଠର ପୋଲ ନିର୍ମାଣ କରିଛନ୍ତି। ନିଜ ଶ୍ରମ ଓ ସହଯୋଗରେ କାଠ ପୋଲ ତିଆରି କରିବା ପରେ ଏହି ରାସ୍ତାରେ ପୁଣିଥରେ ଯାତାୟାତ ଆରମ୍ଭ ହୋଇଛି। ଗ୍ରାମବାସୀଙ୍କ ଏଭଳି ସାମୂହିକ ପ୍ରୟାସ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ନିଜ ଅଞ୍ଚଳର ସମସ୍ୟା ପାଇଁ ନିଜେ ଆଗକୁ ଆସିବା ସହ ଏକତା ଓ ସାମୂହିକ ଶ୍ରମର ଏକ ଉଦାହରଣ ସୃଷ୍ଟି କରିଛନ୍ତି ଗ୍ରାମବାସୀ। ତେବେ ଏହି କାଠ ପୋଲଟି ଅସ୍ଥାୟୀ ହୋଇଥିବାରୁ ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଏଠାରେ ଏକ ସ୍ଥାୟୀ ପୋଲ କିମ୍ବା ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଲଗାଣ ବର୍ଷାରେ ବୋଡ଼େନ ବ୍ଲକରେ ହୋଇଥିବା କ୍ଷୟକ୍ଷତିର ଶୀଘ୍ର ଆକଳନ କରି ଯାତାୟାତ ବ୍ୟବସ୍ଥାକୁ ସ୍ଥାୟୀ ଭାବେ ସୁଧାରିବା ସହ ଶିଆଳଲଟି ନାଲାରେ ସ୍ଥାୟୀ ପୋଲ ନିର୍ମାଣ ଦିଗରେ ପ୍ରଶାସନ ପଦକ୍ଷେପ ନେବା ଆବଶ୍ୟକ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି।