Hot Posts

6/recent/ticker-posts

ସିଜିମାଳି ବଞ୍ଚାଅ' ଦାବିରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ମାନବାଧିକାର ସଂଗଠନ

ରାୟଗଡ଼ା, ୨୦/୦୮ ( ମନୋରଞ୍ଜନ ଶତପଥି ) : ସିଜିମାଳି ପାହାଡ଼ ସୁରକ୍ଷା ତଥା ସ୍ଥାନୀୟ ଆଦିବାସୀଙ୍କ ମୌଳିକ ଅଧିକାର ରକ୍ଷା ଦାବିରେ ‘ଜୟନ୍ତୀ ମହାନ୍ଦିଆ ହ୍ୟୁମାନ୍ ରାଇଟ୍ସ ପ୍ରୋଟେକ୍ସନ୍’ ସଂଗଠନ ଓଡ଼ିଶା ଉଚ୍ଚ ନ୍ୟାୟାଳୟ (ହାଇକୋର୍ଟ)ଙ୍କ ଦ୍ୱାରସ୍ଥ ହୋଇଛି। ଗତ ଏପ୍ରିଲ ମାସରେ ଗ୍ରାମସଭା ଆୟୋଜନ ବେଳେ ପ୍ରଶାସନ ଓ ପୁଲିସ ଉପସ୍ଥିତିରେ ଆଦିବାସୀଙ୍କ ଉପରେ ହୋଇଥିବା ଅତ୍ୟାଚାର ତଥା ହିଂସାକାଣ୍ଡର ନିରପେକ୍ଷ ତଦନ୍ତ ଦାବି କରି ଏହି ମାମଲା ଦାୟର କରାଯାଇଛି। ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି ଯେ, ଗ୍ରାମସଭା ବେଳେ ରାତି ଅଧରେ ଗ୍ରାମବାସୀଙ୍କ ଉପରକୁ ବୋମା ଓ ଲାଠିମାଡ଼ କରାଯାଇଥିଲା। ଏହି ହିଂସାତ୍ମକ ଆକ୍ରମଣରେ ବହୁ ନିରୀହ ଲୋକ ଗୁରୁତର ଆହତ ହେବା ସହ ଗୃହପାଳିତ ପ୍ରାଣୀଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଗର୍ଭବତୀ ମହିଳା ଓ ବୃଦ୍ଧବୃଦ୍ଧାମାନେ ଚରମ ନିର୍ଯାତନାର ଶିକାର ହୋଇଥିଲେ। ଏପରିକି ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନା ନେବାରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି କରାଯାଇଥିଲା। ଗତ ୧୩ ତାରିଖରେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅଦାଲତ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଘଟଣା ସମ୍ପର୍କରେ ତୁରନ୍ତ କୈଫିୟତ (Explanation) ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
​ସଂଗଠନର ପ୍ରମୁଖ ଦାବିସମୂହ:
​ପେସା ଆଇନର କାର୍ଯ୍ୟକାରିତା: ସମ୍ବିଧାନ ପ୍ରଦତ୍ତ 'ପେସା' (PESA) ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରି ଗ୍ରାମସଭାର ସ୍ୱାୟତ୍ତ ଅଧିକାରକୁ ପୂର୍ଣ୍ଣ ସମ୍ମାନ ପ୍ରଦାନ।
​ସାମ୍ବିଧାନିକ ମାନ୍ୟତା: ସିଜିମାଳି ସମେତ ରାୟଗଡ଼ା, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ପ୍ରସ୍ତାବିତ ଖଣି ତଥା କମ୍ପାନୀ କାର୍ଯ୍ୟକଳାପରେ ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମି ଅଧିକାରକୁ ସୁରକ୍ଷା।
​ତୁରନ୍ତ କାର୍ଯ୍ୟାନୁଷ୍ଠାନ: ନିର୍ଯାତିତ ଆଦିବାସୀଙ୍କୁ ଉଚିତ ନ୍ୟାୟ, କ୍ଷତିପୂରଣ ଏବଂ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ଗ୍ରହଣ।