Hot Posts

6/recent/ticker-posts

ଲଇକେରାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

ଲଇକେରା, ୨୫/୦୮ ( ନବଦୂତ ) : ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କୁଣାଳ ମୋତିରାମ ଚହ୍ୱାଣ ଶିବିରରେ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିବା ସହ ଏହାର ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶିବିରରେ ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡାଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରର ବିଭିନ୍ନ ବିଭାଗର ପଦାଧିକାରୀମାନେ ଯୋଗଦେଇ ଥିଲେ ‌। ଏହି ଅଭିଯୋଗ ଶିବିର ରେ ସର୍ବମୋଟ ୨୪ଗୋଟି ଅଭିଯୋଗପତ୍ର ପଞ୍ଜିକୃତ ହୋଇଥିବାବେଳେ ସେଥିମଧ୍ୟରୁ ୧୯ ଗୋଟି ବ୍ୟକ୍ତିଗତ ଓ ୫ ଗୋଟି ଗୋଷ୍ଠିଗତ ଅଭିଯୋଗ ରହିଥିଲା ।ଅଭିଯୋଗଗୁଡିକ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜମିଜମା ବିବାଦ, ଜମି ଚିହ୍ନଟ, ରାସ୍ତା ନିର୍ମାଣ ଓ ମରାମତି, ବିଭିନ୍ନ ନିର୍ମାଣ କାର୍ଯ୍ୟ ବିଷୟ ଭଳି ସମସ୍ୟା ପ୍ରମୁଖ ରହିଥିଲା ।ଜିଲ୍ଲାପାଳ ସମସ୍ତ ଅଭିଯୋଗକୁ ଗୁରୁତର ସହ ଶୁଣି କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ଯରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଅଭିଯୋଗର ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କହିଥିଲେ । ଶିବିରରେ ଜରୁରୀକାଳୀନ ଚିକିତ୍ସା ତଥା ଆର୍ଥିକ ସହାୟତା ଆବଶ୍ୟକ କରୁଥିବା ଦୁଇ ଜଣ ଆବେଦନକାରୀଙ୍କୁ ସର୍ବମୋଟ ୩୦,୦୦୦/- ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରିଛନ୍ତି । ସେଥିମଧ୍ୟରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଜଣେ ହିତାଧିକାରୀଙ୍କୁ ୧୦,୦୦୦/- ଟଙ୍କା ଏବଂ ରେଡକ୍ରସ୍ ପାଣ୍ଠିରୁ ଅନ୍ଯ ଜଣେ ହିତାଧିକାରୀଙ୍କୁ ୨୦,୦୦୦/- ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଅଛି ।