ବିଇଓ ଅଫିସ ସମ୍ମୁଖରେ କାପସି ଉପର ପ୍ରାଇମେରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଠପଢ଼ା
ନୂଆପଡ଼ା, ୨୫/୦୮ ( ପରମେଶ୍ୱର ମେହେର ) : ଶିକ୍ଷକ ଅଭାବ ଯୋଗୁଁ ପାଠପଢ଼ା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ କରି ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ବସି ପାଠ ପଢ଼ିଲେ କାପସି ଉପର ପ୍ରାଇମେରୀ ସ୍କୁଲର ଛାତ୍ରଛାତ୍ରୀ। ହାତରେ ବହି ଓ ଖାତା ଧରି ଛାତ୍ରଛାତ୍ରୀମାନେ ଶିକ୍ଷକ ନିଯୁକ୍ତି ଦାବି କରି ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କାପସି ଉପର ପ୍ରାଇମେରୀ ସ୍କୁଲରେ ଦୀର୍ଘଦିନ ଧରି ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ଶ୍ରେଣୀ ଅନୁଯାୟୀ ନିୟମିତ ପାଠପଢ଼ା ହୋଇପାରୁନଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିବା ଜଣାପଡ଼ିଛି। ସମସ୍ୟାର ତୁରନ୍ତ ସମାଧାନ ଦାବି କରି ଛାତ୍ରଛାତ୍ରୀମାନେ ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ବସି ବହି ଖୋଲି ପାଠ ପଢ଼ିଥିଲେ। ଏହି ଅଭିନବ ଢଙ୍ଗରେ ଦାବି ଜଣାଇ ଛାତ୍ରଛାତ୍ରୀମାନେ ସ୍କୁଲକୁ ଶୀଘ୍ର ଆବଶ୍ୟକ ସଂଖ୍ୟକ ଶିକ୍ଷକ ଯୋଗାଇଦେବାକୁ ଦାବି କରିଛନ୍ତି। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଶିକ୍ଷକ ଅଭାବ ଯୋଗୁଁ ଶ୍ରେଣୀଗୃହରେ ନିୟମିତ ପାଠପଢ଼ାରେ ବାଧା ସୃଷ୍ଟି ହେଉଛି। ଏହାର ସିଧାସଳଖ ପ୍ରଭାବ ସେମାନଙ୍କ ଶିକ୍ଷା ଉପରେ ପଡ଼ୁଥିବାରୁ ଅଭିଭାବକମାନେ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ପିଲାମାନଙ୍କ ଶିକ୍ଷା ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ସ୍କୁଲରେ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବାକୁ ଅଭିଭାବକମାନେ ଦାବି କରିଛନ୍ତି। ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବହି ଖୋଲି ପାଠ ପଢ଼ିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଶିକ୍ଷା ଅଧିକାର ଓ ଗୁଣାତ୍ମକ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଏହି ଦାବିକୁ ଶିକ୍ଷା ବିଭାଗ କେତେ ଗୁରୁତ୍ୱର ସହ ନେଉଛି ଏବଂ କେବେ ସ୍କୁଲରେ ଆବଶ୍ୟକ ଶିକ୍ଷକ ନିଯୁକ୍ତ ହେଉଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।