Hot Posts

6/recent/ticker-posts

ନଦୀରେ ହଠାତ୍ ବଢ଼ିଲା ପାଣି, ଗଛ ଉପରେ ଚଢ଼ି ଜୀବନ ବଞ୍ଚାଇଲେ ଚାଷୀ

ଝରିଗାଁ, ୨୩/୦୮ (ନକୁଲ ଭତରା) : ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଝରିଗାଁ ବ୍ଲକର ବିଭିନ୍ନ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଭଳି ସ୍ଥିତିରେ ଏକାମ୍ବା ଗ୍ରାମରେ ଜଣେ ଚାଷୀ ନଦୀରେ ହଠାତ୍ ବଢ଼ିଥିବା ପାଣିରେ ଫସି ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଛନ୍ତି। ସୂଚନା ଅନୁଯାୟୀ, ଏକାମ୍ବା ଗ୍ରାମର ଚାଷୀ ଦୁପୁ ପୂଜାରୀ ନିଜ ଜମି ନିକଟରେ ଲାଗିଥିବା ମୋଟର ଆଣିବାକୁ ଯାଇଥିଲେ। ତେବେ ହଠାତ୍ ନଦୀରେ ପାଣି ବଢ଼ିଯିବାରୁ ସେ ଫେରି ଆସିପାରି ନଥିଲେ। ଜୀବନ ବଞ୍ଚାଇବାକୁ ସେ ନଦୀକୂଳରେ ଥିବା ଏକ ତେନ୍ତୁଳି ଗଛ ଉପରେ ଚଢ଼ି ଯାଇଥିଲେ। ଚାଷୀ ଜଣକ ଗଛ ଉପରେ ଫସିଥିବା ଦେଖି କିଛି ଗ୍ରାମବାସୀ ତୁରନ୍ତ ଉମରକୋଟ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀର ହରିଶଙ୍କର ସୁନାମିଙ୍କ ନେତୃତ୍ୱରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଦୂପୂ ପୂଜାରୀଙ୍କୁ ଗଛ ଉପରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଅଗ୍ନିଶମ ବାହିନୀର ତ୍ୱରିତ ପଦକ୍ଷେପ ଯୋଗୁଁ ଚାଷୀଙ୍କ ଜୀବନ ରକ୍ଷା ପାଇଥିବାରୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି।