ଆର୍ଆଇ କାର୍ଯ୍ୟାଳୟ କେବେ ଖୋଲୁଛି, ଜାଣିପାରୁନାହାନ୍ତି ଚାଷୀ।ମଣ୍ଡି କାର୍ଡ ପାଇଁ ଖଞ୍ଜଣା ବାନ୍ଧିବାକୁ ହନ୍ତସନ୍ତ, ଦୁଇଗୁଣା ଖର୍ଚ୍ଚାନ୍ତ ହେଉଛନ୍ତି ଚାଷୀ।
ମାଲକାନଗିରି, ୩୦/୦୮ (ଶରତ ଚନ୍ଦ୍ର ଖରା) : ରାଜ୍ୟ ସରକାର ଚାଷୀଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କରିଥିବା ବେଳେ ମାଥିଲି ତହସିଲ ଅଞ୍ଚଳରେ ରାଜସ୍ୱ ବିଭାଗର କାର୍ଯ୍ୟାଳୟକୁ ନେଇ ଚାଷୀ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ବିଶେଷକରି ଖରିଫ ଧାନ ମଣ୍ଡିରେ ବିକ୍ରି ପାଇଁ ମଣ୍ଡି କାର୍ଡ ପଞ୍ଜିକରଣ କରିବାକୁ ଚଳିତ ବର୍ଷର ଖଞ୍ଜଣା ବାନ୍ଧିବା ଆବଶ୍ୟକ ଥିବା ବେଳେ ଆର୍ଆଇ କାର୍ଯ୍ୟାଳୟ ବନ୍ଦ ରହୁଥିବାରୁ ଚାଷୀ ନିରାଶ ହୋଇ ଫେରୁଥିବା ଅଭିଯୋଗ ହୋଇଛି। ମାଥିଲି ତହସିଲ ଅଧୀନରେ ମାଥିଲି, ଧୁଙ୍ଗିଆପୁଟ, କିଆଙ୍ଗ, ସାଲିମି, ମହୁପଦର, ଭଣ୍ଡାରୀପାଙ୍ଗାମ, ଚେଡେଙ୍ଗା ଓ ପାଙ୍ଗାମ ଭଳି ୮ଟି ଆର୍ଆଇ ସର୍କଲ ରହିଛି। ଏହି ସର୍କଲଗୁଡ଼ିକ ଅଧୀନରେ ୧୪୪ଟି ରାଜସ୍ୱ ଗ୍ରାମ ଓ ୧୩୮ଟି ପଡ଼ା ରହିଛି। ଅଧିକାଂଶ ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ବହୁ ସଂଖ୍ୟକ ଚାଷୀ ରହୁଛନ୍ତି। ଚଳିତ ଖରିଫ ଋତୁରେ ସମବାୟ ସମିତି ପକ୍ଷରୁ ମଣ୍ଡି କାର୍ଡ ପଞ୍ଜିକରଣ ଚାଲିଛି। ଏଥିପାଇଁ ଜମିର ଚଳିତ ବର୍ଷର ଖଞ୍ଜଣା ବାନ୍ଧିବା ଜରୁରୀ। ହେଲେ ଆର୍ଆଇ କାର୍ଯ୍ୟାଳୟକୁ ଯାଇ ଚାଷୀମାନେ ତାଲା ଝୁଲୁଥିବା ଦେଖି ଫେରୁଥିବା ଅଭିଯୋଗ ହୋଇଛି। ଫଳରେ ବାଧ୍ୟ ହୋଇ ନିକଟସ୍ଥ ଗ୍ରାହକ ସେବା କେନ୍ଦ୍ରରେ ଅତିରିକ୍ତ ଟଙ୍କା ଖର୍ଚ୍ଚ କରି ଖଞ୍ଜଣା ବାନ୍ଧୁଥିବା ଚାଷୀ କହିଛନ୍ତି।ଗତବର୍ଷ ମାଥିଲି ତହସିଲ ଅଞ୍ଚଳରୁ ୭୩୯୮ ଜଣ ଚାଷୀ ପଞ୍ଜିକରଣ କରି ସରକାରୀ ମଣ୍ଡିରେ ଧାନ ବିକ୍ରି କରିଥିଲେ। ଚଳିତ ବର୍ଷ ଏପର୍ଯ୍ୟନ୍ତ ୫ ହଜାରରୁ ଅଧିକ ଚାଷୀ ପଞ୍ଜିକରଣ କରିସାରିଥିବା ଜଣାପଡ଼ିଛି। ଏପରି ସ୍ଥିତିରେ ଆର୍ଆଇ କାର୍ଯ୍ୟାଳୟରେ ଅଧିକାରୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ନମିଳିବା ଚାଷୀଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି।ଏନେଇ ମାଥିଲି ତହସିଲଦାର ସୁଶ୍ରୀ ମାନସୀ ଭୋଇଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶକ୍ରମେ ଆର୍ଆଇ, ଏଆର୍ଆଇ ଓ ଅମିନମାନେ ବର୍ତ୍ତମାନ ଗାଁ ଗାଁକୁ ଯାଇ କ୍ଷେତ୍ର ପରିଦର୍ଶନ ସହ ବକେୟା ରାଜସ୍ୱ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ତେବେ କେଉଁ ଦିନ କେଉଁ ଆର୍ଆଇ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ, ସେ ସମ୍ପର୍କରେ କାର୍ଯ୍ୟାଳୟ ସମ୍ମୁଖରେ ସୂଚନା ଦେବାର ନିୟମ ଥିଲେ ମଧ୍ୟ ତାହା କରାଯାଇନଥିବା ସେ ସ୍ୱୀକାର କରିଛନ୍ତି।ଆଗାମୀ ଦିନରେ ପ୍ରତ୍ୟେକ ଆର୍ଆଇ କାର୍ଯ୍ୟାଳୟ ସମ୍ମୁଖରେ ଏକ ସୂଚନା ବୋର୍ଡ ଲଗାଯିବ। ସେଥିରେ କେଉଁ ଦିନ କେଉଁ ଅଧିକାରୀ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ, ତାହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିବ ବୋଲି ତହସିଲଦାର କହିଛନ୍ତି। ଏହା ଦ୍ୱାରା ୮ଟି ଆର୍ଆଇ ସର୍କଲର ଚାଷୀ ଓ ସାଧାରଣ ଲୋକଙ୍କ ଜମିଜମା ସମେତ ରାଜସ୍ୱ ସମ୍ପର୍କିତ କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।