ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଜାତୀୟ କ୍ରୀଡ଼ା ଦିବସ ପାଳିତ
ସୁବର୍ଣ୍ଣପୁର, ୩୦/୦୮ ( ଜଗଦିଶ ମେହେର ) : ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀକୁ ସ୍ମରଣ କରି ସୁବର୍ଣ୍ଣପୁର ଜିଲ୍ଲାରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଛି। କ୍ରୀଡ଼ା ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ବୃଦ୍ଧି ଓ ସୁସ୍ଥ ଜୀବନଶୈଳୀର ବାର୍ତ୍ତା ପ୍ରସାର ଉଦ୍ଦେଶ୍ୟରେ ଏହି ଅବସରରେ ‘ମାସ୍ ସାଇକେଲ୍ ରାଲି (ସଣ୍ଡେ ସାଇକ୍ଲିଂ)’ ଆୟୋଜିତ ହୋଇଥିଲା। ସକାଳ ୭ଟାରେ ରାମେଶ୍ୱର ଷ୍ଟାଡିୟମ୍ରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଡ. ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ବିଜେପିର ଷ୍ଟେଟ୍ ଏକ୍ଜିକ୍ୟୁଟିଭ୍ ମେମ୍ବର ଶ୍ରୀ ପ୍ରମୋଦ ମହାପାତ୍ର, ସୋନପୁର ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତାମସୀ ତାମସ୍ମିତା ନାୟକ, ସ୍ୱଚ୍ଛ ଭାରତ ସଂଗଠନର ସଦସ୍ୟ ମନୋରଞ୍ଜନ ତ୍ରିପାଠୀ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ଯମୁନା ପ୍ରଧାନ ମଞ୍ଚାସୀନ ଥିଲେ। ସଭା ପରେ ଅତିଥିମାନେ ଧଳା ପତାକା ଦେଖାଇ ମାସ୍ ସାଇକେଲ୍ ରାଲିର ଶୁଭାରମ୍ଭ କରିଥିଲେ। ରାମେଶ୍ୱର ଷ୍ଟାଡିୟମ୍ର ଇଣ୍ଡୋର୍ ହଲ୍ଠାରୁ ରାଲି ବାହାରି ସୁରେଶ୍ୱରୀ ମନ୍ଦିର ଛକ, ସୁବର୍ଣ୍ଣମେରୁ ମନ୍ଦିର, ହେଲିପ୍ୟାଡ୍ ରୋଡ୍, ସର୍କିଟ୍ ହାଉସ୍ ଓ ସ୍ୱିମିଂ ପୁଲ୍ ଦେଇ ପୁନର୍ବାର ରାମେଶ୍ୱର ଷ୍ଟାଡିୟମ୍ର ଇଣ୍ଡୋର୍ ହଲ୍ଠାରେ ଶେଷ ହୋଇଥିଲା। ଏହି ସାଇକେଲ୍ ରାଲିରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ସୋନପୁର; ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସୋନପୁରର ଖେଳ ଇଣ୍ଡିଆ ଛାତ୍ରୀ; ମହାରାଜା ଉଚ୍ଚ ବିଦ୍ୟାଳୟ, କୋଶଳ ଉଚ୍ଚ ବିଦ୍ୟାଳୟ, ପ୍ରଜ୍ଞା ଭାରତୀ ଆବାସିକ ବିଦ୍ୟାଳୟ, ସୋନପୁର ମହାବିଦ୍ୟାଳୟର ଏନ୍ସିସି କ୍ୟାଡେଟ୍, ଇନ୍ଫିନିଟିର ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସମେତ ସ୍ୱଚ୍ଛ ଭାରତ ସଂଗଠନର ସଦସ୍ୟମାନେ ଯୋଗଦେଇଥିଲେ। ଏଥିସହ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ବାଲାଜୀ ବିଶ୍ୱନାଥ, ଶାରୀରିକ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ଧ୍ୟାରାଣୀ ଖେତି, ଶ୍ରୀ ଆଶିଷ କୁମାର ଅଗ୍ରୱାଲ, ଖେଳୋ ଇଣ୍ଡିଆ କୋଚ୍ ଶ୍ରୀ ମହମ୍ମଦ କଳିମଙ୍କ ସମେତ ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଜାତୀୟ କ୍ରୀଡ଼ା ଦିବସ ପାଳନ ସଭାକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ମିଶ୍ର ସଂଯୋଜନା କରିବା ସହ କାର୍ଯ୍ୟକ୍ରମର ଆୟୋଜନରେ ମଧ୍ୟ ସହଯୋଗ କରିଥିଲେ।