କଳାହାଣ୍ଡି, ୨୧/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୁଶାପାଲି ପଞ୍ଚାୟତଠାରୁ ମାଲପଡ଼ାକୁ ସଂଯୋଗ କରୁଥିବା ରାସ୍ତା ଏବେ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ। ଦୀର୍ଘଦିନ ଧରି ରାସ୍ତା ମରାମତି ହୋଇନଥିବାରୁ ବର୍ଷା ଦିନରେ ଖାଲଖମାରେ ପାଣି ଜମି ଯାତାୟାତ ସମ୍ପୂର୍ଣ୍ଣ ଦୁର୍ବିଷହ ହୋଇପଡ଼ିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମସ୍ୟାର ସମାଧାନ ହେଉନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ। କୋକସରା ବ୍ଲକର ମୁଶାପାଲି ପଞ୍ଚାୟତଠାରୁ ମାଲପଡ଼ାକୁ ଯାଇଥିବା ରାସ୍ତା ଦୀର୍ଘଦିନ ହେଲା ମରାମତି ଅଭାବରୁ ଜରାଜୀର୍ଣ୍ଣ ହୋଇପଡ଼ିଛି। ରାସ୍ତାରେ ବହୁ ସଂଖ୍ୟାରେ ଖାଲଖମା ସୃଷ୍ଟି ହୋଇଥିବା ବେଳେ ବର୍ଷା ହେଲେ ସେଥିରେ ପାଣି ଜମି ପୋଖରୀର ଭ୍ରମ ସୃଷ୍ଟି କରୁଛି। ଏହି ରାସ୍ତା ଉପରେ ନିର୍ଭର କରୁଥିବା ଲୋକେ ଦୈନନ୍ଦିନ ଯାତାୟାତରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାସ୍ତାର ଅବସ୍ଥା ଯୋଗୁଁ ଭାରୀଯାନ ଚଳାଚଳ ପ୍ରାୟ ବନ୍ଦ ହୋଇଥିବା ବେଳେ ଦୁଇଚକିଆ ଯାନ ଚଳାଚଳ ମଧ୍ୟ ବିପଦସଙ୍କୁଳ ହୋଇପଡ଼ିଛି। ସ୍କୁଲକୁ ଯାଉଥିବା ଛାତ୍ରଛାତ୍ରୀ, ବୃଦ୍ଧବୃଦ୍ଧା ଓ ସାଧାରଣ ଲୋକେ ଏହି ରାସ୍ତା ପାଇଁ ବହୁ ହଇରାଣ ହେଉଛନ୍ତି। ବୃଦ୍ଧବୃଦ୍ଧାମାନେ ଭତ୍ତା ଟଙ୍କା ଆଣିବା ପାଇଁ ହେଉ କିମ୍ବା ପଞ୍ଚାୟତକୁ ଚାଉଳ ଆଣିବା ପାଇଁ ହେଉ, ରାସ୍ତାର ଦୁରବସ୍ଥା ଯୋଗୁଁ ଅସୁବିଧା ଭୋଗୁଛନ୍ତି। ରାସ୍ତା ମରାମତି ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବ୍ଲକ ପ୍ରଶାସନ ନିକଟରେ ବାରମ୍ବାର ଲିଖିତ ଅଭିଯୋଗ କରାଯାଇଥିବା ଦାବି ହେଉଛି। ଏପରିକି ପୂର୍ବରୁ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଥିଲେ ସୁଦ୍ଧା ସମସ୍ୟାର ସ୍ଥାୟୀ ସମାଧାନ ହୋଇନାହିଁ।ଏନେଇ ମୂଷାପାଲି ପଞ୍ଚାୟତର ସରପଞ୍ଚଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମାଲପଡା ରାସ୍ତା ନିର୍ମାଣ ପାଇଁ ୨୦ ଲକ୍ଷ ଟଙ୍କାର ଆକ୍ସନ ପ୍ଲାନ ଦିଆଯାଇଛି। ଖୁବଶୀଘ୍ର ମାଲପଡା ରାସ୍ତା ନିର୍ମାଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି
କଳାହାଣ୍ଡି ଜିଲ୍ଲା ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

