ପୁନର୍ବାର ମହାନଦୀରେ ଭାସିଲା ମୃତଦେହ, ୪୦ ନମ୍ବର ଗେଟ୍ ନିକଟରେ
କଟକ, ୧୮/୦୮ ( କାହୁଁ ଚରଣ ବାରିକ ) : କଟକ ପୁଣିଥରେ ମହାନଦୀରେ ମୃତଦେହ ଭାସି ଆସିବା ଘଟଣାକୁ ନେଇ କଟକ ସହରରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗତ ୧୭ ତାରିଖ ରାତି ପ୍ରାୟ ୧୦ଟା ୩୦ ମିନିଟ୍ ସମୟରେ ମହାନଦୀର ୪୦ ନମ୍ବର ଗେଟ୍ ନିକଟରେ ଏକ ଅଜଣା ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ନଦୀର ପ୍ରଖର ସ୍ରୋତ ମଧ୍ୟରେ ମୃତଦେହଟି ଭାସୁଥିବା ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପ୍ରାଥମିକ ଭାବେ ମୃତଦେହଟି ଜଣେ ପୁରୁଷଙ୍କର ହୋଇଥିବା ଏବଂ ତାଙ୍କ ବୟସ ପ୍ରାୟ ୩୦ରୁ ୩୫ ବର୍ଷ ମଧ୍ୟରେ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଲଗାତାର ବର୍ଷା ଓ ନଦୀରେ ବଢ଼ିଥିବା ଜଳସ୍ତର ଯୋଗୁଁ ମୃତଦେହଟି ବନ୍ୟାଜଳର ସ୍ରୋତରେ ଭାସି ଆସିଥାଇପାରେ ବୋଲି ସ୍ଥାନୀୟ ମହଲରେ ଆଶଙ୍କା ପ୍ରକାଶ ପାଇଛି। ତେବେ ଏହାର ସତ୍ୟତା ଏପର୍ଯ୍ୟନ୍ତ ପୋଲିସ କିମ୍ବା ପ୍ରଶାସନ ପକ୍ଷରୁ ପ୍ରମାଣିତ ହୋଇନାହିଁ। ତେଣୁ ମୃତଦେହଟି କେଉଁ ସ୍ଥାନରୁ ଭାସି ଆସିଛି ଏବଂ ମୃତ୍ୟୁର ପ୍ରକୃତ କାରଣ କଣ, ସେନେଇ ଏବେ ମଧ୍ୟ ରହସ୍ୟ ଜାରି ରହିଛି। ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ନଦୀର ଜଳସ୍ରୋତ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀର ସହାୟତା ନିଆଯାଇଥିଲା। ଅଗ୍ନିଶମ ବାହିନୀ କର୍ମଚାରୀମାନେ ନଦୀରୁ ମୃତଦେହଟିକୁ ଉଦ୍ଧାର କରିବା ପରେ ପୋଲିସ ତାହାକୁ ଜବତ କରିଥିଲା।