Hot Posts

6/recent/ticker-posts

ରୋଷେଇ ଘରୁ ପାଣି ଗଳୁଛି, ଶିକ୍ଷକଙ୍କ ମନମାନି, ବଡସୁକୁଲି ପ୍ରାଥମିକ ବିଦ୍ୟାଳୟରେ ବିପର୍ଯ୍ୟସ୍ତ ଶିକ୍ଷା ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା

କଳାହାଣ୍ଡି, ୧୮/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ର ବଡସୁକୁଲି ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସହ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ମଧ୍ୟ ଦୟନୀୟ ହୋଇପଡ଼ିଛି। ରୋଷେଇ ଘରୁ ପାଣି ଗଳୁଛି, କାଠ ଧୂଆଁରେ ପାଚିକାମାନେ ହନ୍ତସନ୍ତ ହେଉଛନ୍ତି। ଏପଟେ ଶିକ୍ଷକଙ୍କ ମନମାନି ଯୋଗୁଁ ପାଠପଢ଼ା ପ୍ରଭାବିତ ହେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ବଡସୁକୁଲି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ନିୟମିତତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଅଭିଯୋଗ ଅନୁସାରେ, କେତେବେଳେ ଦିନ ୧୧ଟା ପରେ ଶିକ୍ଷକ ବିଦ୍ୟାଳୟରେ ପହଞ୍ଚୁଥିବା ବେଳେ, ଆଉ କେତେବେଳେ ବିନା ୟୁନିଫର୍ମରେ ବିଦ୍ୟାଳୟକୁ ଆସୁଥିବା ଅଭିଯୋଗ ହୋଇଛି। ଶିକ୍ଷକଙ୍କ ଏଭଳି ମନମାନି ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହେଉଥିବା ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କେବଳ ଶିକ୍ଷା ବ୍ୟବସ୍ଥା ନୁହେଁ, ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ମଧ୍ୟ ଦୟନୀୟ ଅବସ୍ଥାରେ ରହିଛି। ପକ୍କା ରୋଷେଇ ଘର ଥିଲେ ମଧ୍ୟ ବର୍ଷା ହେଲେ ଛାତରୁ ପାଣି ଗଳୁଛି। ଫଳରେ ପାଚିକାମାନେ ରୋଷେଇ ଘର ଭିତରେ ଦରିପାଲ ଟାଙ୍ଗି କାମ ଚଳାଉଛନ୍ତି। ବର୍ଷା ସମୟରେ ରୋଷେଇ କରିବାରେ ବହୁତ ଅସୁବିଧା ହେଉଥିବାରୁ କେତେକ ଦିନ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ନହୋଇ କେବଳ ସିଝା ଅଣ୍ଡା ଦିଆଯାଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏପଟେ ବିଦ୍ୟାଳୟରେ ରନ୍ଧନ ଗ୍ୟାସ୍‌ର ସୁବିଧା ଠିକ୍‌ଠାକ୍ ନଥିବାରୁ ପାଚିକାମାନେ କାଠ ଜାଳି ରୋଷେଇ କରିବାକୁ ବାଧ୍ୟ ହେଉଛନ୍ତି। କାଠର ଧୂଆଁରେ ରୋଷେଇ ଘର ପୂରିଯାଉଥିବାରୁ ପାଚିକାମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ବିପଦରେ ପଡ଼ୁଛି। ଗୋଟିଏ ପଟେ ରୋଷେଇ ଘରୁ ପାଣି ଗଳୁଛି, ଅନ୍ୟପଟେ ଧୂଆଁରେ ହନ୍ତସନ୍ତ ହେଉଛନ୍ତି ପାଚିକା। ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ଭବିଷ୍ୟତକୁ ନେଇ ଚିନ୍ତା ବଢ଼ିଛି। ବିଦ୍ୟାଳୟର ଏଭଳି ସମସ୍ୟାର ତୁରନ୍ତ ସମାଧାନ ପାଇଁ ସ୍ଥାନୀୟ ଲୋକ ଓ ଅଭିଭାବକମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ରୋଷେଇ ଘରର ମରାମତି ସହ ଗ୍ୟାସ୍‌ ସଂଯୋଗ ଯୋଗାଇଦେବା ଏବଂ ବିଦ୍ୟାଳୟରେ ଶିକ୍ଷକଙ୍କ ନିୟମିତତା ସୁନିଶ୍ଚିତ କରିବାକୁ ଦାବି ହୋଇଛି। ବଡସୁକୁଲି ପ୍ରାଥମିକ ବିଦ୍ୟାଳୟର ଏଭଳି ଅବ୍ୟବସ୍ଥାକୁ ନେଇ ବିଭାଗୀୟ କର୍ତ୍ତୃପକ୍ଷ କେବେ ଏବଂ କେତେ ଶୀଘ୍ର ପଦକ୍ଷେପ ନେଉଛନ୍ତି, ତାହା ଏବେ ଦେଖିବାର ବିଷୟ। ବଡସୁକୁଲି ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ପଟେ ଶିକ୍ଷକଙ୍କ ନିୟମିତତାକୁ ନେଇ ଅଭିଯୋଗ, ଅନ୍ୟପଟେ ରୋଷେଇ ଘରର ଦୁରବସ୍ଥା। ଛାତରୁ ପାଣି ଗଳିବା ସହ କାଠ ଧୂଆଁରେ ରୋଷେଇ କରୁଛନ୍ତି ପାଚିକା। ଏଭଳି ସ୍ଥିତିରେ ବିଦ୍ୟାଳୟର ଶିକ୍ଷା ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କେବେ ସୁଧୁରିବ, ତାହା ଉପରେ ଏବେ ସମସ୍ତଙ୍କ ନଜର।




କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ