ସିଂହପୁରରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ପାଳିତ
ବିଂଝାରପୁର, ୨୫/୦୮ (ପ୍ରଦୀପ କୁମାର ମଲ୍ଲିକ) : ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁରସ୍ଥିତ ବିଜେପି କାର୍ଯ୍ୟାଳୟରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ଦଳୀୟ ନେତା ଓ କର୍ମୀମାନେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରି ତାଙ୍କ ଆଦର୍ଶ ଓ ଚିନ୍ତାଧାରାକୁ ସ୍ମରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଂଝାରପୁର ମଣ୍ଡଳ ସଂଯୋଜକ ଶ୍ରୀଯୁକ୍ତ ନିରଞ୍ଜନ ବେଉରିଆ, ସାଂସଦ ପ୍ରତିନିଧି ପୁରୁଷୋତ୍ତମ ବେହେରା, ରବିନ୍ଦ୍ର ବେଉରିଆ, ଶଶଧର ଏବଂ ମଣ୍ଡଳ ସଭାପତି ଶ୍ରୀଧର ଜେନାଙ୍କ ସମେତ ଦଳର ଅନେକ କର୍ମୀ ଉପସ୍ଥିତ ରହିଥିଲେ। ଉପସ୍ଥିତ ନେତାମାନେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୀବନୀ, ତ୍ୟାଗ, ବଳିଦାନ ଓ ସମାଜ ପ୍ରତି ତାଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଭାରତୀୟ ରାଜନୈତିକ ଚିନ୍ତାଧାରାର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ। ସେ ‘ଏକାତ୍ମ ମାନବବାଦ’ ଚିନ୍ତାଧାରା ମାଧ୍ୟମରେ ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କ କଲ୍ୟାଣ ଓ ସମାଜର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ। ତାଙ୍କ ସରଳ ଜୀବନ, ନିଷ୍ଠା, ତ୍ୟାଗ ଓ ଦେଶସେବାର ଆଦର୍ଶ ଆଜି ମଧ୍ୟ ଅନେକଙ୍କୁ ପ୍ରେରଣା ଯୋଗାଇଥାଏ। କାର୍ଯ୍ୟକ୍ରମରେ ତାଙ୍କ ଆଦର୍ଶକୁ ଅନୁସରଣ କରି ସମାଜର ଦୁର୍ବଳ ଓ ଅବହେଳିତ ବର୍ଗଙ୍କ ଉନ୍ନତି ପାଇଁ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଉପସ୍ଥିତ ନେତା ଓ କର୍ମୀମାନେ ଆହ୍ୱାନ ଦେଇଥିଲେ। ଶେଷରେ ଦେଶ ଓ ସମାଜ ପ୍ରତି ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଅବଦାନକୁ ସ୍ମରଣ କରାଯାଇଥିଲା।