କଳାହାଣ୍ଡି ପୋଲିସକୁ ବଡ଼ ସଫଳତା, ଆନ୍ତଃଜିଲ୍ଲା ଚୋରି ରାକେଟ୍ର ପର୍ଦ୍ଦାଫାସ
କଳାହାଣ୍ଡି, ୨୫/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କେସିଙ୍ଗା ଚୋରି ଘଟଣାରେ ୫ଜଣ ଚୋର ଓ ଜଣେ ରିସିଭର ଗିରଫ। ୨ ଲକ୍ଷ ୭୦ ହଜାର ଟଙ୍କା, ୭୨ ଗ୍ରାମ ସୁନା ଓ ୧୦୩୮ ଗ୍ରାମ ରୁପା ଜବତ। ରାୟଗଡ଼ାରୁ କେସିଙ୍ଗା ପର୍ଯ୍ୟନ୍ତ ଲମ୍ବିଛି ଚୋରି ରାକେଟ୍ର ଚେର। କଳାହାଣ୍ଡି ପୋଲିସକୁ ମିଳିଛି ବଡ଼ ସଫଳତା। କେସିଙ୍ଗାରେ କିଛି ଦିନ ତଳେ ଜଣେ ବ୍ୟବସାୟୀଙ୍କ ଘରୁ ହୋଇଥିବା ଲୁଟ୍ ଘଟଣାର ତଦନ୍ତ କରି କଳାହାଣ୍ଡି ପୋଲିସ ଏକ ଆନ୍ତଃଜିଲ୍ଲା ଚୋରି ରାକେଟ୍ର ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ୫ ଜଣ ଚୋର ଓ ଜଣେ ରିସିଭରଙ୍କୁ ପୋଲିସ ଗିରଫ କରିଛି। ପୋଲିସର ସୂଚନା ଅନୁସାରେ, କେସିଙ୍ଗାର ଜଣେ ବ୍ୟକ୍ତି ଏହି ଚୋରି ଘଟଣାରେ ସମ୍ପୃକ୍ତ ଥିବା ବେଳେ ସେ ରାୟଗଡ଼ା ଅଞ୍ଚଳରୁ ଅନ୍ୟ ୫ ଜଣଙ୍କୁ ଡାକି ଚୋରି ଘଟଣା ଘଟାଇଥିବା ତଦନ୍ତରୁ ଜଣାପଡ଼ିଛି। ତଦନ୍ତ ଆଗକୁ ବଢ଼ିବା ପରେ ଏହି ରାକେଟ୍ର ଚେର ରାୟଗଡ଼ା ଜିଲ୍ଲା ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ରାୟଗଡ଼ା ଅଞ୍ଚଳରେ ଘଟିଥିବା ୧୧ରୁ ଅଧିକ ଚୋରି ଘଟଣାରେ ସମ୍ପୃକ୍ତ ଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କ ଠାରୁ ୨ ଲକ୍ଷ ୭୦ ହଜାର ଟଙ୍କା ନଗଦ, ୭୨ ଗ୍ରାମ ସୁନା ଏବଂ ୧୦୩୮ ଗ୍ରାମ ରୁପା ଜବତ କରିଛି। କେସିଙ୍ଗା ଚୋରି ଘଟଣାର ତଦନ୍ତରୁ ରାୟଗଡ଼ା ଓ କେସିଙ୍ଗା ମଧ୍ୟରେ ଚାଲିଥିବା ଏହି ଚୋରି ରାକେଟ୍ର ଲିଙ୍କ୍ ସାମ୍ନାକୁ ଆସିଛି। ଏହି ରାକେଟ୍ ସହ ଆଉ କେତେଜଣ ସମ୍ପୃକ୍ତ ଅଛନ୍ତି ଏବଂ ଅନ୍ୟ କେଉଁ କେଉଁ ଚୋରି ଘଟଣାରେ ଏମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ପୋଲିସର ତଦନ୍ତ ଜାରି ରହିଛି। ଏନେଇ କଳାହାଣ୍ଡି ଅରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡା ସୂଚନା ଦେଇଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ