ସ୍କୁଲ ନିକଟରେ ମଦ ବିକ୍ରି ଅଭିଯୋଗ, ଗ୍ରାମବାସୀଙ୍କ ବିରୋଧ ପରେ ବନ୍ଦ ହେଲା ବେପାର
ବାସୁଦେବପୁର, ୨୫/୦୮ ( ଅକ୍ଷୟ କୁମାର ବେହେରା ) : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରାଜଘରପୋଖରି ପଞ୍ଚାୟତ ଅନ୍ତର୍ଗତ ଗଦଳା ଗ୍ରାମରେ ସ୍କୁଲ ନିକଟରେ ଏକ ଭଡ଼ାଘରେ ମଦ ବିକ୍ରି ଓ ଯୋଗାଣ ଚାଲୁଥିବା ଅଭିଯୋଗକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମଦ ବିକ୍ରି ଯୋଗୁଁ ଗ୍ରାମବାସୀ ଓ ସ୍କୁଲ ଛାତ୍ରଛାତ୍ରୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି ଗ୍ରାମବାସୀ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଲିପିକା ନାୟକ ଓ ତାଙ୍କ ସ୍ୱାମୀଙ୍କ ପକ୍ଷରୁ ଏଠାରେ ମଦ ବିକ୍ରି କରାଯାଉଥିଲା। ମଦ ବିକ୍ରି ପାଇଁ ଲାଇସେନ୍ସ ଥିବା ଦାବି କରି ସେମାନେ ବିରୋଧକୁ ଅଣଦେଖା କରୁଥିବା ଗ୍ରାମବାସୀ କହିଛନ୍ତି। ଏହାର ପ୍ରଭାବରେ ଗ୍ରାମରେ ପାରିବାରିକ କଳହ, ମାରପିଟ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ମଦ୍ୟପାନ ବଢ଼ୁଥିବା ନେଇ ଅଭିଯୋଗ ହୋଇଛି। ବିଶେଷକରି ସ୍କୁଲ ନିକଟରେ ମଦ ବିକ୍ରି ହେଉଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ପରିବେଶକୁ ନେଇ ଅଭିଭାବକ ଓ ଗ୍ରାମବାସୀ ଚିନ୍ତା ପ୍ରକାଶ କରିଥିଲେ। ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ କଲେକ୍ଟର ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ତଥାପି ତୁରନ୍ତ ସମାଧାନ ନ ହେବାରୁ ଶେଷରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିବା କହିଛନ୍ତି। ଖବର ପାଇ ନାୟକାଣିଡ଼ିହି ଥାନା ପକ୍ଷରୁ ଅନିଲ ସେଠୀ ଏବଂ ବାସୁଦେବପୁର ଅବକାରୀ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ମଦ ବିକ୍ରି କରୁଥିବା ପକ୍ଷ ଗ୍ରାମରେ ଆଉ ମଦ ବିକ୍ରି କରିବେ ନାହିଁ ବୋଲି ଲିଖିତ ଭାବେ ଜଣାଇଥିବା ଏବଂ ମଦ ଫେରାଇ ନେଇଥିବା ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି। ତେବେ ଆଗାମୀ ଦିନରେ ଯେପରି ଗ୍ରାମରେ ପୁଣି ଅବୈଧ ଭାବେ ମଦ ବିକ୍ରି ନ ହୁଏ, ସେଥିପାଇଁ ପ୍ରଶାସନ ଓ ଅବକାରୀ ବିଭାଗ ନିୟମିତ ନଜର ରଖିବାକୁ ଗ୍ରାମବାସୀ ଦାବି କରିଛନ୍ତି। ସ୍କୁଲ ନିକଟରେ ମଦ ବିକ୍ରି ଅଭିଯୋଗ ଥିବାରୁ ଏହାକୁ ପ୍ରଶାସନ ଗୁରୁତ୍ୱର ସହ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି।