ସାବଧାନ! ହରିଚନ୍ଦନପୁର ଶାସନ ବଢ଼ିଆ ରାସ୍ତାରେ ବାଘ ସନ୍ଦେହ
କଟକ, ୨୦/୦୮ ( କାହୁଁ ଚରଣ ବାରିକ ) : ନରସିଂହପୁର ଅଞ୍ଚଳର ହରିଚନ୍ଦନପୁର ଶାସନ ବଢ଼ିଆ ରାସ୍ତା ନିକଟରେ ଅଜଣା ଜନ୍ତୁର ପାଦଚିହ୍ନ ଦେଖିବାକୁ ମିଳିବା ପରେ କଲରାପତରିଆ ବାଘ ଚଳପ୍ରଚଳ କରୁଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଆଶଙ୍କା ପ୍ରକାଶ ପାଇଛି। ପାଦଚିହ୍ନଗୁଡ଼ିକ କଲରାପତରିଆ ବାଘର ପାଦଚିହ୍ନ ଭଳି ଦେଖାଯାଉଥିବାରୁ ଲୋକଙ୍କ ମଧ୍ୟରେ ସତର୍କତା ବଢ଼ିଛି। ସୂଚନା ଅନୁଯାୟୀ, ହରିଚନ୍ଦନପୁର ଶାସନ ଗ୍ରାମର ଶିକ୍ଷକ ନିତ୍ୟରଞ୍ଜନ ମହାପାତ୍ରଙ୍କ ମାଆଙ୍କ ମୃତ୍ୟୁର ଚତୁର୍ଥ ଦିବସରେ ବୁଧବାର ସକାଳେ ସେ ଓ ପୁରୋହିତ ନାରାୟଣ ମିଶ୍ର ହରିଚନ୍ଦନପୁର ଶାସନ ବଢ଼ିଆ ରାସ୍ତାର କଳାପଥର ନିକଟରେ ଥିବା ଶ୍ମଶାନକୁ ଯାଇଥିଲେ। ସେଠାରେ ରାସ୍ତା ଓ ଆଖପାଖ ଅଞ୍ଚଳର କେତେକ ସ୍ଥାନରେ ଅଜଣା ଜନ୍ତୁର ପାଦଚିହ୍ନ ଦେଖିବାକୁ ମିଳିଥିଲା। ପାଦଚିହ୍ନଗୁଡ଼ିକ କଲରାପତରିଆ ବାଘର ପାଦଚିହ୍ନ ସଦୃଶ ହୋଇଥିବାରୁ ଏହା ବାଘର ପାଦଚିହ୍ନ ହୋଇଥାଇପାରେ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ପୂର୍ବରୁ ମଧ୍ୟ ବାଘ ଦେଖିଥିବା ଦାବି ଏହି ଅଞ୍ଚଳରେ ପୂର୍ବରୁ ମଧ୍ୟ କଲରାପତରିଆ ବାଘ ଦେଖାଯାଇଥିବା ନେଇ ସ୍ଥାନୀୟ ଲୋକଙ୍କ ଦାବି ରହିଛି। ଗତ ଅଗଷ୍ଟ ୨ ତାରିଖ ସନ୍ଧ୍ୟାରେ ଜୟପୁର ଗ୍ରାମର ବୈକୁଣ୍ଠ ବାରିକ ଓ ସହଦେବ ନାୟକ ବାଘୁଆପାଳରୁ ଜୟପୁର ଯାଉଥିବା ସମୟରେ ଓକିଲତୈଳା ନିକଟରେ ଏକ କଲରାପତରିଆ ବାଘ ସେମାନଙ୍କ ଗାଡ଼ି ସମ୍ମୁଖରେ ରାସ୍ତା ପାର ହୋଇଥିବା ଦେଖିଥିବା କହିଛନ୍ତି। ସେହିପରି ଜୁଲାଇ ୨୩ ତାରିଖ ଦିନ ପ୍ରାୟ ୧ଟା ସମୟରେ ଜୟପୁର ଗ୍ରାମର ପୂର୍ବତନ ସମିତି ସଭ୍ୟ ସମୀର ଦେହୁରୀ ନରସିଂହପୁରରୁ ବଡ଼ଭୂଇଁ ଦେଇ ଜୟପୁର ଯାଉଥିବା ସମୟରେ ସୁଳିଆବାଙ୍କ ନିକଟରେ ଏକ କଲରାପତରିଆ ବାଘ ତାଙ୍କ ଗାଡ଼ି ସମ୍ମୁଖରେ ହଠାତ୍ ରାସ୍ତା ପାର ହୋଇଥିବା ଦେଖିଥିବା କହିଛନ୍ତି। ଏହାପୂର୍ବରୁ ୨୦୨୫ ମସିହା ଜାନୁଆରୀ ୨୫ ତାରିଖ ସନ୍ଧ୍ୟାରେ ମଧ୍ୟ ସେହି ଅଞ୍ଚଳରେ ଏକ କଲରାପତରିଆ ବାଘ ରାସ୍ତା ପାର ହୋଇଥିବା ବଡ଼ଭୂଇଁ ଗ୍ରାମର କିଛି ଯୁବକ ଦେଖିଥିବା ଦାବି କରିଥିଲେ। ଏଭଳି ଘଟଣା ପରେ ଏବେ ମିଳିଥିବା ପାଦଚିହ୍ନକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବାଘ ଚଳପ୍ରଚଳ କରୁଥିବା ନେଇ ସନ୍ଦେହ ଆହୁରି ବଢ଼ିଛି। ତଦନ୍ତ ପରେ ସ୍ପଷ୍ଟ ହେବ: ବନ ବିଭାଗ ଏନେଇ ନରସିଂହପୁର ପଶ୍ଚିମ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ପାଦଚିହ୍ନଟି ଦେଖିବାକୁ ବାଘର ପାଦଚିହ୍ନ ଭଳି ଲାଗୁଛି। ତେବେ ତଦନ୍ତ କରାଯିବା ପରେ ଏହା କେଉଁ ଜନ୍ତୁର ପାଦଚିହ୍ନ ତାହା ସ୍ପଷ୍ଟ ହେବ। ଏଥିପାଇଁ ଲୋକମାନେ ଭୟଭୀତ ନହୋଇ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ପାଦଚିହ୍ନକୁ ନେଇ ଚାଲିଥିବା ଆଶଙ୍କା ମଧ୍ୟରେ ବନ ବିଭାଗ ପକ୍ଷରୁ ଘଟଣାର ଯାଞ୍ଚ କରାଯାଇ ଏହା ପ୍ରକୃତରେ କଲରାପତରିଆ ବାଘର ପାଦଚିହ୍ନ କି ନୁହେଁ, ତାହା ସ୍ପଷ୍ଟ କରାଯିବା ଅପେକ୍ଷାରେ ଅଛନ୍ତି ସ୍ଥାନୀୟ ଲୋକେ।