Hot Posts

6/recent/ticker-posts

ରାସ୍ତା କଡ଼ରେ ଅସହାୟ ମାଆ ଓ ଦୁଇ ଶିଶୁ କୁ ସହାୟତାର ହାତ ବଢ଼ାଇଲେ ସାମ୍ବାଦିକ

ଧର୍ମଗଡ଼, ୨୫/୦୮ ( ରିତେଶ କୁମାର ମୁଣ୍ଡ ) : ରାସ୍ତା କଡ଼ରେ ଦୁଇ ଶିଶୁଙ୍କୁ ଧରି ଅସହାୟ ଅବସ୍ଥାରେ ବସିଥିବା ଜଣେ ବିଧବା ମହିଳାଙ୍କ ନିକଟରେ ପହଞ୍ଚି ମାନବିକତାର ନିଦର୍ଶନ ଦେଖାଇଛନ୍ତି ସାମ୍ବାଦିକ। ଉଦ୍ଧାର ପରେ ମହିଳା ଓ ଦୁଇ ଶିଶୁଙ୍କୁ ଧର୍ମଗଡ଼ ସ୍ଥିତ ଯଶୋଦା ଅନାଥ ଆଶ୍ରମରେ ଥଇଥାନ କରାଯାଇଛି। ଧର୍ମଗଡ଼ ବ୍ଲକ ବେହେରା ଗ୍ରାମର ବିଜୁ ଏକ୍ସପ୍ରେସ ବସଷ୍ଟାଣ୍ଡ ଛକ ନିକଟରେ ଦୀର୍ଘ ସମୟ ଧରି ଜଣେ ମହିଳା ଦୁଇ ଶିଶୁଙ୍କୁ ଧରି ବସିଥିବା ଦେଖି ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ପଚରାଉଚରା କରିବାରୁ ମହିଳାଙ୍କ ଦୁଃଖଦ କାହାଣୀ ସାମ୍ନାକୁ ଆସିଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଇ ଶିଶୁଙ୍କୁ ନେଇ ସେ ଅସହାୟ ହୋଇପଡ଼ିଥିବା ଜଣାପଡ଼ିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ନିଜ ଦୁଇ ଶିଶୁଙ୍କୁ କୌଣସି ଆଶ୍ରମ କିମ୍ବା ସହୃଦୟ ବ୍ୟକ୍ତିଙ୍କ ହାତରେ ଦେଇ ନିଜେ ଅନ୍ୟତ୍ର ଚାଲିଯିବାକୁ ମଧ୍ୟ ମହିଳା ଜଣକ ଚିନ୍ତା କରୁଥିଲେ। ଖବର ପାଇ ଓଡ଼ିଶା ଭାସ୍କର ଧର୍ମଗଡ଼ ଉପଖଣ୍ଡ ସ୍ୱତନ୍ତ୍ର ପ୍ରତିନିଧି ସୁବାସ ବାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ମହିଳାଙ୍କ ସହ ଆଲୋଚନା କରିବା ପରେ ଯଶୋଦା ଅନାଥ ଆଶ୍ରମର ପରିଚାଳକ ଶ୍ୟାମସୁନ୍ଦର ଜାଲଙ୍କ ସହ ଯୋଗାଯୋଗ କରିଥିଲେ। ପରେ ମହିଳା ଓ ଦୁଇ ଶିଶୁଙ୍କୁ ଆଶ୍ରମରେ ଥଇଥାନ କରାଯାଇଥିଲା। ମହିଳା ଜଣକ ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଅନ୍ତର୍ଗତ ବାରଲୀ ଗ୍ରାମର ଚଞ୍ଚଲା ହରିଜନ। ତାଙ୍କ ସହ ଥିବା ପୁଅ ବିଦ୍ୟାଧର ହରିଜନଙ୍କ ବୟସ ୭ ବର୍ଷ ହୋଇଥିବା ବେଳେ ଝିଅ ମିତା ହରିଜନଙ୍କ ବୟସ ମାତ୍ର ୨ ମାସ। ଚଞ୍ଚଲାଙ୍କ କହିବା ଅନୁସାରେ, ସେ ପ୍ରେମ ବିବାହ କରି ହରି ହରିଜନଙ୍କୁ ବିବାହ କରିଥିଲେ। ଭିନ୍ନ ଜାତିରେ ବିବାହ କରିଥିବାରୁ ପରିବାର ଲୋକେ ତାଙ୍କୁ ପର କରିଦେଇଥିଲେ। ଏହାପରେ ସ୍ୱାମୀଙ୍କ ମୃତ୍ୟୁ ତାଙ୍କ ଜୀବନକୁ ଆହୁରି ଦୁର୍ବିଷହ କରିଦେଇଥିଲା। ଏବେ ଯଶୋଦା ଅନାଥ ଆଶ୍ରମରେ ଆଶ୍ରୟ ମିଳିବା ପରେ ଦୁଇ ଶିଶୁଙ୍କୁ ନେଇ ଚଞ୍ଚଲାଙ୍କ ଜୀବନରେ ନୂଆ ଆଶା ସୃଷ୍ଟି ହୋଇଛି। ସାମ୍ବାଦିକଙ୍କ ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଲୋକେ ସ୍ୱାଗତ କରିବା ସହ ପ୍ରଶଂସା କରିଛନ୍ତି।