ଶିକ୍ଷକ ନାହାନ୍ତି, ୧୦ ଦିନ ଧରି ସ୍କୁଲରେ ତାଲା: ପାଠପଢ଼ାରୁ ବଞ୍ଚିତ କାପସିର କୁନି କୁନି ପିଲା
ନୂଆପଡ଼ା, ୨୦/୦୮( ପରମେଶ୍ୱର ମେହେର ) : ଯେଉଁ ବିଦ୍ୟାଳୟ ପରିସରରେ ପ୍ରତିଦିନ କୁନି କୁନି ପିଲାଙ୍କ କୋଳାହଳରେ ମୁଖରିତ ହେବା କଥା, ସେଠାରେ ଏବେ ନିରବତା। ବିଦ୍ୟାଳୟ ଗେଟ୍ରେ ଝୁଲୁଛି ତାଲା। ଦିନେ କିମ୍ବା ଦୁଇଦିନ ନୁହେଁ, ପ୍ରାୟ ୧୦ ଦିନ ଧରି ବିଦ୍ୟାଳୟ ବନ୍ଦ ଥିବା ଅଭିଯୋଗ ସାମ୍ନାକୁ ଆସିଛି। ଶିକ୍ଷକ ଅଭାବ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଶିକ୍ଷା ବିଭାଗର ନିରବତାକୁ ନେଇ ସ୍ଥାନୀୟ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଘଟଣାଟି କାପସି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବିଦ୍ୟାଳୟରେ ଦୀର୍ଘଦିନ ଧରି ମାତ୍ର ଜଣେ ଶିକ୍ଷକଙ୍କ ଉପରେ ପାଠପଢ଼ା ଓ ବିଦ୍ୟାଳୟ ପରିଚାଳନାର ଦାୟିତ୍ୱ ରହିଥିଲା। ତେବେ ସମ୍ପୃକ୍ତ ଶିକ୍ଷକ କିଛି ଦିନ ତଳେ ଅବସର ଗ୍ରହଣ କରିବା ପରେ ବିଦ୍ୟାଳୟରେ ଶିକ୍ଷକ ଶୂନ୍ୟତା ଦେଖାଦେଇଥିଲା। ଏହି ସମୟରେ ଜଣେ ଶିକ୍ଷକଙ୍କୁ ଡେପୁଟେସନ୍ରେ ବିଦ୍ୟାଳୟକୁ ଅଣାଯାଇଥିଲେ ମଧ୍ୟ ପରେ ତାଙ୍କ ଡେପୁଟେସନ୍ ବାତିଲ ହୋଇଯାଇଥିବା କୁହାଯାଉଛି। ଫଳରେ ବିଦ୍ୟାଳୟରେ ପୁଣିଥରେ ଶିକ୍ଷକ ଅଭାବ ଗୁରୁତର ରୂପ ନେଇଛି। ଶିକ୍ଷକ ନଥିବାରୁ ବିଦ୍ୟାଳୟରେ ପାଠପଢ଼ା ସ୍ୱାଭାବିକ ଭାବେ ଚାଲିପାରୁନଥିବା ବେଳେ ଶେଷରେ ବିଦ୍ୟାଳୟରେ ତାଲା ଝୁଲିବା ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଶିକ୍ଷକ ନାହାନ୍ତି, ପିଲାଙ୍କ ପାଠପଢ଼ା ଠପ୍ ଶିକ୍ଷା ହେଉଛି ପ୍ରତ୍ୟେକ ଶିଶୁର ଅଧିକାର। ଗ୍ରାମାଞ୍ଚଳର ଗରିବ ଓ ସାଧାରଣ ପରିବାରର ପିଲାଙ୍କ ପାଇଁ ସରକାରୀ ବିଦ୍ୟାଳୟ ହିଁ ଶିକ୍ଷାର ମୁଖ୍ୟ ଆଶ୍ରୟ। ଏଭଳି ସ୍ଥିତିରେ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲିବା ଘଟଣା ଅଭିଭାବକଙ୍କ ଚିନ୍ତା ବଢ଼ାଇଛି। ବିଦ୍ୟାଳୟ ବନ୍ଦ ରହିବା ଯୋଗୁଁ ପିଲାମାନଙ୍କ ନିୟମିତ ପାଠପଢ଼ା ବାଧାପ୍ରାପ୍ତ ହେବା ସହ ଶିକ୍ଷାରେ ପଛକୁ ପଡ଼ିବାର ଆଶଙ୍କା ରହିଛି। ଦୀର୍ଘ ସମୟ ଧରି ଏଭଳି ସ୍ଥିତି ଜାରି ରହିଲେ ପିଲାମାନଙ୍କ ଶିକ୍ଷା ପ୍ରତି ଆଗ୍ରହ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ଶିକ୍ଷା ବିଭାଗର ନିରବତାକୁ ନେଇ ପ୍ରଶ୍ନବିଦ୍ୟାଳୟରେ ଶିକ୍ଷକ ନଥିବା ଖବର ଯଦି ସତ, ତେବେ ଏହା ଶିକ୍ଷା ବିଭାଗର ନିରୀକ୍ଷଣ ଓ ମାନବ ସମ୍ବଳ ପରିଚାଳନା ଉପରେ ମଧ୍ୟ ପ୍ରଶ୍ନ ଉଠାଉଛି। ଜଣେ ଶିକ୍ଷକ ଅବସର ନେବା ପରେ ଖାଲି ପଦ ପୂରଣ କରାଯାଇନଥିବା କାହିଁକି? ଡେପୁଟେସନ୍ରେ ଆସିଥିବା ଶିକ୍ଷକଙ୍କ ଡେପୁଟେସନ୍ ବାତିଲ ହେବା ପରେ ବିକଳ୍ପ ବ୍ୟବସ୍ଥା କାହିଁକି କରାଗଲା ନାହିଁ? ବିଦ୍ୟାଳୟରେ ପ୍ରାୟ ୧୦ ଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ ଏପର୍ଯ୍ୟନ୍ତ କାହିଁକି ତୁରନ୍ତ ପଦକ୍ଷେପ ନେଇନାହିଁ—ଏଭଳି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି।ସ୍ଥାନୀୟ ଅଭିଭାବକ ଓ ଗ୍ରାମବାସୀଙ୍କଦାବି,ବିଦ୍ୟାଳୟରେ ତୁରନ୍ତ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତ କରାଯାଉ। ଯେପରି ପିଲାମାନଙ୍କ ପାଠପଢ଼ା ଆଉ ବାଧାପ୍ରାପ୍ତ ନହୁଏ, ସେଥିପାଇଁ ତତ୍କାଳୀନ ଭାବେ ବିକଳ୍ପ ଶିକ୍ଷକ ବ୍ୟବସ୍ଥା କରି ବିଦ୍ୟାଳୟକୁ ନିୟମିତ ଭାବେ ଖୋଲାଯାଉ। ତାଲା ଖୋଲିବ, ନା ପିଲାଙ୍କ ଭବିଷ୍ୟତରେ ପଡ଼ିବ ତାଲା?’ କାପସି ବିଦ୍ୟାଳୟର ଏହି ସ୍ଥିତି କେବଳ ଏକ ବିଦ୍ୟାଳୟର ସମସ୍ୟା ନୁହେଁ; ଏହା ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛି। ସରକାର ଶିକ୍ଷାର ବିକାଶ ଓ ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷାର କଥା କହୁଥିବା ବେଳେ ଏକ ସରକାରୀ ବିଦ୍ୟାଳୟରେ ଦିନ ଦିନ ଧରି ତାଲା ଝୁଲିବା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଏବେ ସ୍ଥାନୀୟ ଅଭିଭାବକଙ୍କ ଅପେକ୍ଷା—ଶିକ୍ଷା ବିଭାଗ କେବେ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବ? କେବେ ଖୋଲିବ କାପସି ବିଦ୍ୟାଳୟର ତାଲା? ଏବଂ କେବେ ପୁଣି ଶ୍ରେଣୀଗୃହରେ ଶୁଭିବ କୁନି କୁନି ପିଲାଙ୍କ ପାଠପଢ଼ାର ସ୍ୱର? ଏହା ଉପରେ ଏବେ ସମସ୍ତଙ୍କ ନଜର।