ଏକଦା ସ୍ଵାଭିମାନ ଅଞ୍ଚଳର ଲାଇଫ ଲାଇନ ଥିବା ମାଲକାନଗିରିର ସ୍ଵତନ୍ତ୍ର ଛୋଟ ଲାଞ୍ଜିଆ ଘୋଡା ବର୍ତ୍ତମାନ ଜଙ୍ଗଲ ମୁହା
ମାଲକାନଗିରି, ୩୦/୦୮ (ରିପୋର୍ଟ ଶରତ ଚନ୍ଦ୍ର ଖରା) : ମାଲକାନଗିରି ଜିଲ୍ଲାର ଅପହଞ୍ଚ ଇଲାକାକହିଲେ ଏକଦା ଚିତ୍ରକୋଣ୍ଡା ବ୍ଲକରେ ଥିବା ବିଛିନ୍ନା ଅଞ୍ଚଳକୁ ବୁଝା ଯାଉଥିଲା । ଯେଉଁଠିକାର ଲୋକଙ୍କ ପାଇଁ ଲାଇଫ ଲାଇନ ଥିଲା ସେହି ଅଞ୍ଚଳରେ ଥିବା ସ୍ଵତନ୍ତ୍ର ଜଙ୍ଗଲି ଛୋଟ ଲାଞ୍ଜିଆ ଘୋଡା । ତେବେ ସେହି ଅଞ୍ଚଳରେ ରାଜ୍ୟ ସରକାରଙ୍କ ଦୃମ ପ୍ରୋଜେକ୍ଟ ଗୁରୁପ୍ରିୟା ହେବା ପରେ ନିଜେ ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳରେ ବିକାଶର ବାର୍ତ୍ତା ଦେବା ସହ ଏହି ଅଞ୍ଚଳକୁ ସ୍ଵାଭିମାନ ଅଞ୍ଚଳ ଭାବେ ଘୋଷଣା କରିଥିଲେ । ଏହାପରେ ଅହି ଅଞ୍ଚଳରେ ବିକାଶର ଗାଡି ଅଟକି ନଥିଲା । ରାସ୍ତାଘାଟର ସଂଯୋଗୀକରଣ, ଗାଡି ମୋଟର ଯାତାୟାତ ପରେ ଏହି ଅଞ୍ଚଳର ଲାଇଫ ଲାଇନ କୁହାଯାଉଥିବା ଏହି ଘୋଡାଙ୍କ ବ୍ଯବହର ଦିନକୁ ଦିନ କମିବାରେ ଲାଗିଥିଲା । ଏକଦା ଏହି ଘୋଡା ଉପରେ ନିର୍ଭର କରୁଥିଲା ଆଦିବାସୀଙ୍କ ସମ୍ପୂର୍ଣ୍ଣ ଜୀବନଶୈଳୀ । ସେମାନଙ୍କ ଜୀବନ ଜୀବିକାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଥିଲେ ଏହି ଘୋଡ଼ା । ସାମଗ୍ରୀ ପରିବହନ ହେଉ କି ଲୋକଙ୍କୁ ନେବା ଆଣିବା ସବୁ କାମରେ ବ୍ଯବହର ହେଉଥିଲେ ଏହି ଘୋଡା । ତେବେ ଏହି ଛୋଟ ଲାଞ୍ଜ ଥିବା ଓ ଛାତିରେ କଳା ଏବଂ ଧଳା ରଙ୍ଗ ରହିଥିବା ଘୋଡା ଗୁଡିକ ଅତ୍ୟନ୍ତ ସୁନ୍ଦର ଓ ନିଆରା ହୋଇଥିବା ବେଳେ ଜିଲ୍ଲାର ସାହସ ସହ ସଂଖ୍ୟାରେ ଏହି ଘୋଡା ସ୍ଵାଭିମାନ ଅଞ୍ଚଳରେ ଥିଲେ । ତେବେ ବର୍ତ୍ତମାନ କିନ୍ତୁ ଏହି ଘୋଡାଙ୍କ ସଂଖ୍ୟା କମିବାରେ ଲାଗିଛି । ସ୍ୱାଭିମାନ ଅଞ୍ଚଳରେ ଏବେ ମାତ୍ର କିଛିଟା ଗ୍ରାମରେ ଏହି ଘୋଡ଼ା ହିଁ ପରିବହନ ଓ ଗମନା ଗମନ ପାଇଁ ବ୍ୟବାହର କରାଯାଉଛି । ତେବେ ଏହି ସ୍ୱତନ୍ତ୍ର ପ୍ରଜାତିର ପ୍ରତି ଘୋଡ଼ାର ଦାମ୍ ପ୍ରାୟ ୨୫ ହଜାର ଟଙ୍କା ବୋଲି ସୂଚନା ମିଳିଛି । ଏହାସହ ଏହି ଘୋଡାର ନୀତିଦିନର ଖାଦ୍ୟ ଓ ସ୍ୱାସ୍ଥ୍ୟ ପାଇଁ ଅଧିକ ଖର୍ଚ ହେଉଥିବାରୁ ଲୋକେ ଏହାକୁ ଦୂରେଇ ଦେଲେଣି ବୋଲି ମଧ୍ୟ କୁହାଯାଉଛି । ଏହି ଘୋଡା ଗୁଡିକ ବର୍ତ୍ତମାନ ଜଙ୍ଗଲ ମୁହା ହୋଇଥିବା ବେଳେ ଏହି ସ୍ଵତନ୍ତ୍ର ଘୋଡାର ଅନେକ ବିଶେଷତା ରହିଥିବା ମଧ୍ୟ କୁହାଯାଏ । ରାଜ୍ୟର ଓୟୁଏଟି ସଂସ୍ଥା ପକ୍ଷରୁ ଏହି ଘୋଡାଙ୍କୁ ନେଇ କରାଯାଇଥିବା ସର୍ଭେ ଅନୁଯାୟୀ ଏହି ଘୋଡା ଗୁଡିକ ବହୁ କମ ଉଚ୍ଚତା ବିଶିଷ୍ଠ ହୋଇଥିବା ବେଳେ ଏମାନେ ଯଦିଓ କ୍ଷିପ୍ର ଗତିରେ ଦଉଡି ପାରନ୍ତି ଣଃ,କିନ୍ତୁ ଅଧିକ ଓଜନ ଉଠାଇ ଦୀର୍ଘ ବାଟ ଅତିକ୍ରାନ୍ତ କରି ପାରନ୍ତି । ଏହିପରି ଘୋଡା ମାନେ ଦୁର୍ଗମ, ପାହାଡ଼ିଆ ଓ ସଂକୀର୍ଣ୍ଣ ରାସ୍ତାରେ ଖୁବ୍ ସହଜରେ ଏବଂ କମ୍ ସମୟ ଭିତରେ ଅତିକ୍ରମ କରି ପାରନ୍ତି । କମ ଖାଦ୍ୟରେ ବି ଏମାନେ ରହିପାରନ୍ତି । ତେବେ ସ୍ଥାନୀୟ ଲୋକଙ୍କ କହିବ ଅନୁଯାୟୀ ଏହି ଘୋଡାକୁ ବର୍ଷ ବର୍ଷ ଧରି ଆଦିବାସୀମାନେ ପରିବହନ ପାଇଁ ନିର୍ଭର କରୁଥିବା ବେଳେ ଜିଲ୍ଲାର ବଣ୍ଡା, ଗଦବା, କନ୍ଧ, ପରଜା, କୋଟିଆ ଓ କୋୟା ଜନଜାତିର ଲୋକେ ବାହାଘର, ବନ୍ଧୁ ପରିଜନଙ୍କୁ ନେବା ଆଣିବା କାମରେ ବ୍ୟବହାର କରିଥାଆନ୍ତି । ବର୍ତ୍ତମାନ ଏହି ଘୋଡାଙ୍କ ସଂଖ୍ୟା କମୁଥିବା ବେଳେ ଏହି ପ୍ରଜାତିଙ୍କ ସୁରକ୍ଷା ଦିଗରେ ପ୍ରୟାସ ଆରମ୍ଭ ହେବା ଦରକାର ବୋଲି ଲୋକେ ପ୍ରକାଶ କରିଛନ୍ତି । ତେବେ ଓୟୁଏଟି ପକ୍ଷରୁ ଏହି ଘୋଡାକୁ ନେଇ ଅନୁସନ୍ଧାନ କରୁଥିବା ବ୍ୟକ୍ତି ମାନେ ରାଜ୍ୟରେ ଥିବା ୭ଟି ପ୍ରଜାତିର ଘୋଡା ଠାରୁ ଏହା ଅଲଗା ଥିବାରୁ ଏହାକୁ ଅଷ୍ଟମ ପ୍ରଜାତିର ଘୋଡାର ମାନ୍ୟତା ପାଇଁ ଆବେଦନ କରିଥିବା ଜଣା ପଡିଛି ।