Hot Posts

6/recent/ticker-posts

ଭଗବାନ ବିର୍ସା ମୁଣ୍ଡା ଫୁଟବଲ୍ ମହାକୁମ୍ଭ ଉମରକୋଟରେ ଫୁଟବଲ୍‌ର ମହାସମର; ୧୬ ପୁରୁଷ ଓ ୪ ମହିଳା ଦଳକୁ ନେଇ ଜମିଲା ପ୍ରତିଯୋଗିତା

ଝରିଗାଁ, ୩୦/୦୮ (ନକୁଲ ଭତରା) : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଆଦିବାସୀ ଖାଣ୍ଡାଠାରେ ସହିଦ ବଗା ପୂଜାରୀ ରେଫେରି ସଂଘ ନବରଙ୍ଗପୁର ଜିଲ୍ଲା ପକ୍ଷରୁ ଆୟୋଜିତ ଭଗବାନ ବିର୍ସା ମୁଣ୍ଡା ଫୁଟବଲ୍ ମହାକୁମ୍ଭ ଓ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି।  ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଝରିଗାଁ ବିଧାୟକ ନରସିଂହ ଭତ୍ରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଏହି ଫୁଟବଲ୍ ମହାକୁମ୍ଭରେ ୧୬ଟି ପୁରୁଷ ଦଳ ଓ ୪ଟି ମହିଳା ଦଳ ଅଂଶଗ୍ରହଣ କରି ନିଜର ଉତ୍କୃଷ୍ଟ କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହି କ୍ରୀଡା ପ୍ରତିଯୋଗିତା ରେ ପାଖା ପାଖି 15000 ହଜାର ଦର୍ଶକ କ୍ରୀଡାକୁ ଉପଭୋଗ କରୁଥିଲେ l ପୁରୁଷ ବିଭାଗରେ ସଂଗ୍ରାମୀ ରବିସିଂ ମାଝୀ ସ୍ପୋର୍ଟସ୍ କମ୍ପ୍ଲେକ୍ସ, ଉମରକୋଟ ଚାମ୍ପିଅନ୍ ହୋଇଥିବା ବେଳେ ସ୍ୱିଟ୍ ଏଫ୍‌ସି, ଝରିଗାଁ ଉପବିଜେତା ହୋଇଥିଲା। ବିଜେତା ଦଳକୁ ୨୦ ହଜାର ଟଙ୍କା ଓ ଉପବିଜେତା ଦଳକୁ ୧୫ ହଜାର ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା। ସେହିପରି ମହିଳା ବିଭାଗରେ ସଂଗ୍ରାମୀ ରବିସିଂ ମାଝୀ ସ୍ପୋର୍ଟସ୍ କମ୍ପ୍ଲେକ୍ସ, ଉମରକୋଟ ବିଜେତା ହୋଇଥିବା ବେଳେ ଯୋଡିଙ୍ଗା ଏଫ୍‌ସି ଉପବିଜେତା ହୋଇଥିଲା। ମହିଳା ବିଜେତା ଦଳକୁ ୫ ହଜାର ଟଙ୍କା ଏବଂ ଉପବିଜେତା ଦଳକୁ ୩ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ଅବଶେଷରେ ବିଧାୟକ ନରସିଂହ ଭତ୍ରା ବିଜେତା ଦଳକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ପରାଜିତ ଦଳର ଉତ୍କୃଷ୍ଟ ଓ ଲଢ଼ୁଆ ଖେଳ ପ୍ରଦର୍ଶନକୁ ମଧ୍ୟ ପ୍ରଶଂସା କରିଥିଲେ। ଜିତିବା ଓ ହାରିବା କ୍ରୀଡ଼ାର ଏକ ଅଂଶ, କିନ୍ତୁ ମଇଦାନରେ ଦେଖାଇଥିବା ଉତ୍ସାହ, ଶୃଙ୍ଖଳା ଓ କ୍ରୀଡ଼ା ମନୋଭାବ ହିଁ ପ୍ରକୃତ ସଫଳତା ବୋଲି ସେ କହିଥିଲେ। ଏଭଳି ଏକ ସୁନ୍ଦର ଓ ଭବ୍ୟ କ୍ରୀଡ଼ା ଆୟୋଜନ କରିଥିବାରୁ ବଗା ପୂଜାରୀ ରେଫେରି ସଂଘର ସଭାପତି ସପନ ବୈରାଗୀ ଏବଂ ସମସ୍ତ ସଦସ୍ୟଙ୍କୁ ପ୍ରଶଂସା କରିଥିଲେ, ଏହି ସଂଘ କୁ ବିଧାୟକ ହୃଦୟରୁ ଧନ୍ୟବାଦ ଓ ସାଧୁବାଦ ଜଣାଇଥିଲେ। ଏଭଳି କ୍ରୀଡ଼ା ଆୟୋଜନ ଆଦିବାସୀ ଅଞ୍ଚଳର ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭାର ବିକାଶ ସହ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ନୂଆ ଦିଗ ଦେଖାଇବ ବୋଲି ସେ ମତବ୍ୟକ୍ତ କରିଥିଲେ। ଉଦ୍‌ଯାପନୀ ସମାରୋହରେ ଆୟୋଜକ ସଂଘର ସଦସ୍ୟ, ଖେଳାଳି, ରେଫେରି, କ୍ରୀଡ଼ାପ୍ରେମୀ ଓ ବହୁ ସଂଖ୍ୟକ ଦର୍ଶକ ଉପସ୍ଥିତ ଥିଲେ।