Hot Posts

6/recent/ticker-posts

ଅତ୍ୟଧିକ ଲେସ୍‌ରେ ଟେଣ୍ଡରକୁ ବିରୋଧ, ଏମ୍‌ଭି-୭୯ରେ ଠିକାଦାରଙ୍କ ମେଳି, ନିର୍ମାଣ କାମର ମାନକୁ ନେଇ ଉଠିଲା ପ୍ରଶ୍ନ

ମାଲକାନଗିରି, ୩୦/୦୮ (ରିପୋର୍ଟ ଶରତ ଚନ୍ଦ୍ର ଖରା) : ସରକାରୀ ଉନ୍ନୟନମୂଳକ କାର୍ଯ୍ୟର ଟେଣ୍ଡରରେ ଅତ୍ୟଧିକ କମ୍‌ ଦରରେ (ଲେସ୍‌) ଟେଣ୍ଡର ଦାଖଲକୁ ନେଇ ଠିକାଦାର ମହଲରେ ଅସନ୍ତୋଷ ଦେଖାଦେଇଛି। ଏନେଇ ରବିବାର ଏମ୍‌ଭି-୭୯ଠାରେ ବିଭିନ୍ନ ଅଞ୍ଚଳର ଠିକାଦାରମାନେ ଏକାଠି ହୋଇ ଆଲୋଚନା କରିଥିଲେ। ଅତ୍ୟଧିକ କମ୍‌ ଦରରେ କାମ ନେଲେ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଗୁଣାତ୍ମକ କାମ ସମ୍ଭବ କି ନାହିଁ, ତାହାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି।ଠିକାଦାରମାନଙ୍କ ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡା ଡିଭିଜନ୍‌ର ୨ଟି, ବାଲିମେଳା ଇରିଗେସନ୍‌ ପ୍ରୋଜେକ୍ଟର ୩ଟି ଏବଂ ଏମ୍‌ଭି-୭୯ ପିସି ଡିଭିଜନ୍‌ର ୫ଟି କାର୍ଯ୍ୟକୁ ମିଶାଇ ମୋଟ ୧୦ଟି କାମ ପାଇଁ ଟେଣ୍ଡର ଆହ୍ୱାନ ହୋଇଛି। ପ୍ରାୟ ୧୧୫ ଜଣ ଠିକାଦାର ସିଡ୍ୟୁଲ୍‌ ରେଟ୍‌ରେ ଟେଣ୍ଡର ଦାଖଲ କରିଥିବା ବେଳେ ୪ରୁ ୫ ଜଣ ଅତ୍ୟଧିକ ଲେସ୍‌ରେ ଟେଣ୍ଡର ଦାଖଲ କରିଥିବା ଅଭିଯୋଗ ହୋଇଛି।ଅତ୍ୟଧିକ କମ୍‌ ଦରରେ କାମ ନେଲେ ଗୁଣାତ୍ମକ ସାମଗ୍ରୀ, ଶ୍ରମିକ ମଜୁରି, ପରିବହନ ଓ ଅନ୍ୟାନ୍ୟ ଖର୍ଚ୍ଚ ପରିଚାଳନାରେ ସମସ୍ୟା ହୋଇପାରେ। ଏହାର ପ୍ରଭାବ ନିର୍ମାଣ କାମର ଗୁଣବତ୍ତା ଓ ସ୍ଥାୟୀତ୍ୱ ଉପରେ ପଡ଼ିବା ଆଶଙ୍କା ରହିଥିବା ଠିକାଦାରମାନେ କହିଛନ୍ତି। ତେଣୁ କେବଳ ସର୍ବନିମ୍ନ ଦରକୁ ଆଧାର ନକରି ଟେଣ୍ଡରଦାତାଙ୍କ ବୈଷୟିକ ଯୋଗ୍ୟତା, ନିର୍ମାଣ ମାନ ଓ ଗୁଣନିୟନ୍ତ୍ରଣକୁ ବିଚାରକୁ ନେବାକୁ ସେମାନେ ଦାବି କରିଛନ୍ତି।ବୈଠକରେ ‘ଆମ ଜିଲ୍ଲାର କାମ, ଆମ ଜିଲ୍ଲାର ଠିକାଦାର’ ଦାବି ମଧ୍ୟ ଉଠିଥିଲା। ବାହାର ଅଞ୍ଚଳର ଠିକାଦାରମାନେ ଅତ୍ୟଧିକ ଲେସ୍‌ରେ କାମ ନେଉଥିବାରୁ ସ୍ଥାନୀୟ ଠିକାଦାରମାନେ ପ୍ରତିଯୋଗିତାରେ ପଛରେ ପଡ଼ୁଥିବା ସେମାନେ କହିଛନ୍ତି। ଅତ୍ୟଧିକ ଲେସ୍‌ରେ ଟେଣ୍ଡର ଦାଖଲ କରିଥିବା ଠିକାଦାରମାନେ ଚାହିଲେ ଟେଣ୍ଡର ପ୍ରତ୍ୟାହାର କରିନେବାକୁ ମଧ୍ୟ ଅନୁରୋଧ କରାଯାଇଛି। ଏଥିସହ କାମ ଆରମ୍ଭ ହେଲେ ଠିକାଦାରମାନେ କାମସ୍ଥଳକୁ ଯାଇ ନିର୍ମାଣର ମାନ ଯାଞ୍ଚ କରିବା ସହ ସ୍ଥାନୀୟ ଚାଷୀ, ଅଞ୍ଚଳବାସୀ ଓ ବୁଦ୍ଧିଜୀବୀଙ୍କୁ ଏଥିରେ ସାମିଲ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା ସହ ନିର୍ମାଣ କାର୍ଯ୍ୟର ମାନ ବଜାୟ ରଖିବାକୁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବାକୁ ଠିକାଦାରମାନେ ଦାବି କରିଛନ୍ତି।