କଟକ, ୧୮/୦୮ ( କାଁହୁ ଚରଣ ବାରିକ ) : ଘରେ କେହି ନଥିବାର ସୁଯୋଗ ନେଇ ଲଗାତାର ଘର ଚୋରି କରୁଥିବା 2 ଚୋର ଗ୍ୟାଙ୍ଗ୍ର ପର୍ଦ୍ଦାଫାସ୍ କରିଛି ଜଗତପୁର ପୋଲିସ। ଚୋରି ଘଟଣାର ତଦନ୍ତ କରି ପୋଲିସ ଦୁଇଜଣ ଅଭ୍ୟାସଗତ ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୬ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଓ ରୁପା ଅଳଙ୍କାର ଉଦ୍ଧାର କରିଛି। ଜଗତପୁର ଥାନା କେସ୍ ନମ୍ବର ୫୨୯, ତାରିଖ ୧୧ ଅଗଷ୍ଟ ୨୦୨୬ରେ ଏହି ମାମଲା ରୁଜୁ ହୋଇଥିଲା। ରାମାଦେବୀ ନଗର, ତରୋଳ ଅଞ୍ଚଳର ଭାସ୍କର ପାଢ଼ୀ ଘରେ ନଥିବା ସମୟରେ ଅଜଣା ଦୁର୍ବୃତ୍ତ ଘରେ ପଶି ଆଲମିରାରେ ରଖାଯାଇଥିବା ସୁନା ଓ ରୁପା ଅଳଙ୍କାର ଚୋରି କରିଥିଲେ। ଏନେଇ ଅଭିଯୋଗ ହେବା ପରେ ଜଗତପୁର ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଘଟଣାଟିକୁ ଗୁରୁତ୍ୱର ସହ ନେଇ ଜଗତପୁର ଥାନା ଆଇଆଇସିଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍ ତଦନ୍ତରେ ନିୟୋଜିତ ହୋଇଥିଲା। ଜିଲ୍ଲା ଫରେନସିକ୍ ଟିମ୍ର ସହାୟତାରେ ଘଟଣାସ୍ଥଳ ଯାଞ୍ଚ କରାଯାଇ ବିଭିନ୍ନ ପ୍ରମାଣ ସଂଗ୍ରହ କରାଯାଇଥିଲା। ଏଥିସହ ଘଟଣାସ୍ଥଳକୁ ଆସିବା ଓ ଯିବାର ସମସ୍ତ ସମ୍ଭାବ୍ୟ ରାସ୍ତାର ସିସିଟିଭି ଫୁଟେଜ୍ ପୋଲିସ ଯାଞ୍ଚ କରିଥିଲା। ସିସିଟିଭିରେ ଦେଖାଯାଇଥିବା ସନ୍ଦିଗ୍ଧଙ୍କ ଚାଲିବା ଶୈଳୀ, ବ୍ୟବହୃତ ଗାଡ଼ି ଏବଂ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ପୋଲିସ ତଦନ୍ତକୁ ଆଗକୁ ବଢ଼ାଇଥିଲା। ଆରଟିଓ ସମେତ ବିଭିନ୍ନ ସଂସ୍ଥା ସହ ସମନ୍ୱୟ ରଖିବା ସହ ଡିଜିଟାଲ୍ ତଥ୍ୟର ବିଶ୍ଳେଷଣ କରାଯାଇଥିଲା। ଶେଷରେ ପୋଲିସ ଅଭ୍ୟାସଗତ ଅପରାଧୀଙ୍କ ପରିଚୟ ଠାବ କରି ସେମାନଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ କେନ୍ଦୁଝର ଜିଲ୍ଲା ତମକା ଥାନା ବାଗପାଟିଆ ଗ୍ରାମର ରବୀନ୍ଦ୍ର ପାତ୍ର (୩୦) ଏବଂ ଯାଜପୁର ରୋଡ୍ ଥାନା ଲକ୍ଷ୍ମୀନଗର ଗ୍ରାମର କୃଷ୍ଣ ଦାସ (୨୭)। ପଚରାଉଚରା ସମୟରେ ଅଭିଯୁକ୍ତମାନେ ଚୋରି ଘଟଣାରେ ନିଜ ସମ୍ପୃକ୍ତି ସ୍ୱୀକାର କରିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଅଭିଯୁକ୍ତଙ୍କ ସୂଚନା ଆଧାରରେ ପୋଲିସ ଚୋରି ହୋଇଥିବା ସୁନା ଓ ରୁପା ଅଳଙ୍କାର ଉଦ୍ଧାର କରିଛି। ଏହି ଅଳଙ୍କାରର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଅଧିକ। ଜଗତପୁର ଅଞ୍ଚଳରେ ପୂର୍ବରୁ ଘଟିଥିବା ସମାନ ଘର ଚୋରି ଘଟଣାରେ ମଧ୍ୟ ଏହି ଅଭିଯୁକ୍ତମାନଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଜଗତପୁର ପୋଲିସର ଏହି ସଫଳତା ପରେ ଅଞ୍ଚଳରେ ଏହି ଚୋରି ମାମଲାର ସମାଧାନ ସମ୍ଭବ ହୋଇଥିବା ଜଣାପଡ଼ିଛି।
କଟକ ରୁ କାଁହୁ ଚରଣ ବାରିକ ଙ୍କ ରିପୋର୍ଟ.
