Hot Posts

6/recent/ticker-posts

ପାଇକମାଳରେ ୫୦୦ ମାନସିକ ରୋଗୀ ଔଷଧ ଅଭାବରେ ସମସ୍ୟାର ସମ୍ମୁଖୀନ; ମାସିକ ମନୋରୋଗ ବିଶେଷଜ୍ଞ OPD ଦାବି

ପାଇକମାଳ, ୧୭/୦୭ ( କୃଷ୍ଣଚନ୍ଦ୍ର ସାହୁ ) : ପାଇକମାଳ ବ୍ଲକରେ ମାନସିକ ରୋଗୀଙ୍କ ପାଇଁ ଆବଶ୍ୟକୀୟ ଔଷଧର ନିୟମିତ ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ପାଇକମାଳ ସିଏଚସି (CHC)ରେ ପ୍ରତିମାସ ମନୋରୋଗ ବିଶେଷଜ୍ଞଙ୍କ OPD ଆୟୋଜନ କରିବାକୁ ଦାବି କରି ବରଗଡ଼ ଜିଲ୍ଲାପାଳଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସମ୍ପ୍ରଦାୟ ଭିତ୍ତିକ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ପାଇକମାଳ ବ୍ଲକର ୧୦ଟି ଗ୍ରାମ ପଞ୍ଚାୟତରୁ ପ୍ରାୟ ୫୦୦ ଜଣ ମାନସିକ ରୋଗୀ (PWMI) ଚିହ୍ନଟ କରାଯାଇଛନ୍ତି। ଏହି ରୋଗୀମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ନିୟମିତ ଔଷଧ ସେବନ ଓ ମନୋରୋଗ ବିଶେଷଜ୍ଞଙ୍କ ପରାମର୍ଶ ଆବଶ୍ୟକ ରହିଛି। କିନ୍ତୁ ପାଇକମାଳ ସିଏଚସିରେ ଆବଶ୍ୟକୀୟ ମାନସିକ ରୋଗ ଔଷଧ ପ୍ରାୟତଃ ଉପଲବ୍ଧ ନ ଥିବାରୁ ଚିକିତ୍ସାରେ ବାଧା ସୃଷ୍ଟି ହେଉଛି। ଫଳରେ ରୋଗ ପୁନର୍ବାର ବଢ଼ିଯିବାର ଆଶଙ୍କା ସହ ରୋଗୀ ଓ ସେମାନଙ୍କ ପରିବାର ଆର୍ଥିକ ଏବଂ ମାନସିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ସିଏଚସି ସ୍ତରରେ ପ୍ରତିମାସ ମନୋରୋଗ ବିଶେଷଜ୍ଞଙ୍କ OPD ବ୍ୟବସ୍ଥା ନ ଥିବାରୁ ରୋଗୀମାନଙ୍କୁ ଦୂରସ୍ଥ ହସ୍ପିଟାଲକୁ ଯିବାକୁ ପଡ଼ୁଛି, ଯାହା ଗରିବ ଓ ଗ୍ରାମାଞ୍ଚଳର ପରିବାରମାନଙ୍କ ପାଇଁ ବହୁତ କଷ୍ଟସାଧ୍ୟ ହେଉଛି। ଦାବିପତ୍ରରେ ପାଇକମାଳ ସିଏଚସିରେ ମାନସିକ ରୋଗର ଆବଶ୍ୟକୀୟ ଔଷଧର ନିରବଚ୍ଛିନ୍ନ ଯୋଗାଣ, ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (DMHP) ଅଧୀନରେ ପ୍ରତିମାସ ମନୋରୋଗ ବିଶେଷଜ୍ଞଙ୍କ OPD ଆୟୋଜନ ଏବଂ ବ୍ଲକ ସ୍ତରରେ ମାନସିକ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରାଯାଇଛି। ସ୍ଥାନୀୟ ଜନସାଧାରଣ ଓ ମାନସିକ ସ୍ୱାସ୍ଥ୍ୟ କର୍ମୀମାନେ ଆଶା ପ୍ରକାଶ କରିଛନ୍ତି ଯେ, ଜିଲ୍ଲା ପ୍ରଶାସନ ଏହି ସମସ୍ୟା ପ୍ରତି ଶୀଘ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ, ଯାହାଦ୍ୱାରା ପାଇକମାଳ ବ୍ଲକର ମାନସିକ ରୋଗୀମାନେ ନିଜ ଅଞ୍ଚଳରେ ନିୟମିତ ଓ ଗୁଣାତ୍ମକ ଚିକିତ୍ସା ସେବା ପାଇପାରିବେ।