ନୂଆପଡ଼ାରେ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକଙ୍କ ଦୁଇ ଦିନିଆ ଗସ୍ତ : ଖରିଆର ବ୍ଲକରେ ଜଳସଂରକ୍ଷଣ ଓ ଜୀବିକାଭିତ୍ତିକ ପ୍ରକଳ୍ପର ସ୍ଥଳ ପରିଦର୍ଶନ
ନୂଆପଡ଼ା, ୧୭/୦୭ ( ପରମେଶ୍ୱର ମେହେର ) : ଦୁଇ ଦିନିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସିଥିବା ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ବିକାଶ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଆଜି ଖରିଆର ବ୍ଲକର ବିଭିନ୍ନ ପଞ୍ଚାୟତରେ ପରିଦର୍ଶନ କରି ମୃତ୍ତିକା ସଂରକ୍ଷଣ, ଜଳସଂରକ୍ଷଣ, କୃଷି ଓ ଜୀବିକାଭିତ୍ତିକ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ଗସ୍ତ ଅବସରରେ ସେ ପ୍ରଥମେ ଦାବରୀ ପଞ୍ଚାୟତର ଭୈରାଜପୁର ଗ୍ରାମକୁ ଯାଇ ପ୍ରଧାନମନ୍ତ୍ରୀ କୃଷି ଶିଞ୍ଚାୟୀ ଯୋଜନା (PMKSY) ଅଧୀନରେ ବତକ ପାଳନ ପାଇଁ ସହାୟତା ପାଇଥିବା ଗୋମାତା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କର ବାର୍ଷିକ ଆୟ, ଜୀବିକାରେ ଆସିଥିବା ପରିବର୍ତ୍ତନ ଏବଂ ଯୋଜନାର ସଫଳତା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଅବସରରେ ସେ ସ୍ଥାନୀୟ ଚାଷୀ ଶରଣ ବଛାଙ୍କ ଜମିରେ ଗୋଷ୍ଠୀର ସଦସ୍ୟାମାନଙ୍କ ସହ ମିଶି ଆମ୍ବ ଓ ନଡ଼ିଆ ଚାରା ରୋପଣ କରି ପରିବେଶ ସୁରକ୍ଷା ଓ ଫଳଚାଷକୁ ପ୍ରୋତ୍ସାହିତ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେ ଚାଷୀ ଅଜିତ ହେର୍ଣ୍ଣା ଓ ଭାସ୍କର ହେର୍ଣ୍ଣାଙ୍କ ଖେତ ପୋଖରୀ ପରିଦର୍ଶନ କରିବା ସହ ନାରୀଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ କୁକୁଡ଼ା ପାଳନ ପ୍ରକଳ୍ପ ବୁଲି ଦେଖିଥିଲେ। ଏଥିସହ ଚାଷ ଜମିରେ ନିର୍ମିତ ସ୍ପିଲୱେ, ରିଂୱେଲ୍ ଓ ଅନ୍ୟାନ୍ୟ ଜଳସଂରକ୍ଷଣ ଭିତ୍ତିଭୂମିର କାର୍ଯ୍ୟର ମଧ୍ୟ ସ୍ଥଳ ପରିଦର୍ଶନ କରିଥିଲେ। ଏହାପରେ ସେ ଦାବରୀ ପଞ୍ଚାୟତର ଜୁଗୁରାମ ମାଝୀ, ବିରଘାଟ ପଞ୍ଚାୟତର ହୃଦୟ ଶୁନାନୀ ଏବଂ ବାଦି ପଞ୍ଚାୟତର ପ୍ରସନ୍ନ ମାଝୀଙ୍କ ଜମିରେ ଜଳଧାରା ଯୋଜନା ଅଧୀନରେ ନିର୍ମିତ ଖେତ ପୋଖରୀ ପରିଦର୍ଶନ କରି କୃଷିରେ ଜଳ ସଂରକ୍ଷଣର ପ୍ରଭାବ ସମ୍ପର୍କରେ ଅବଗତ ହୋଇଥିଲେ। ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ପଣ୍ଡା ଅରେଡା ପଞ୍ଚାୟତରେ ମନରେଗା ଯୋଜନାରେ ସୃଷ୍ଟି ହୋଇଥିବା ୩ ହେକ୍ଟର ପରିମିତ ଆମ୍ବ ବଗିଚା ପରିଦର୍ଶନ କରି କାର୍ଯ୍ୟର ଗୁଣାତ୍ମକ ମାନ ଓ ଏହାର ଦୀର୍ଘମିଆଦି ଜୀବିକା ସୃଷ୍ଟି ସମ୍ଭାବନାକୁ ପ୍ରଶଂସା କରିଥିଲେ। ପରିଦର୍ଶନ ସମୟରେ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ନିର୍ଦ୍ଦେଶକଙ୍କୁ ଅବଗତ କରାଇଥିଲେ। ନିର୍ଦ୍ଦେଶକ ଜଳସଂରକ୍ଷଣ, ମୃତ୍ତିକା ସଂରକ୍ଷଣ ଓ ଜୀବିକାଭିତ୍ତିକ ଯୋଜନାଗୁଡ଼ିକୁ ସମନ୍ୱିତ ଭାବେ କାର୍ଯ୍ୟକାରୀ କରି କୃଷକଙ୍କ ଆୟବୃଦ୍ଧି ଓ ସ୍ଥାୟୀ ଜୀବିକା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।