ଛାଡ଼ିଗଲା ବର୍ଷା; କୁଲାଡ ରଥଯାତ୍ରା ଆଧ୍ୟାତ୍ମିକ ପରିବେଶରେ ସମ୍ପନ୍ନ
ଭଞ୍ଜନଗର, ୧୬/୦୭ ( ଜେ. କେ ପଟ୍ଟନାୟକ ) : ଗଞ୍ଜାମ ଜିଲ୍ଲାର ଐତିହାସିକ ଶ୍ରୀଜଗନ୍ନାଥ ପୀଠ କୁଲାଡ଼ରେ ଆଜି ପବିତ୍ର ରଥଯାତ୍ରା ମହାସମାରୋହ, ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି। ପାରମ୍ପରିକ ବୈଦିକ ରୀତିନୀତି ଅନୁଯାୟୀ ପହଣ୍ଡି ବିଜେ, ଛେରା ପହଁରା ଓ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ହେବା ପରେ ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ସୁସଜ୍ଜିତ ରଥରେ ବିରାଜମାନ ହୋଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବିଜେ କରିଥିଲେ। ରଥଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମ ରେ ସମଗ୍ର କୁଲାଡ଼ ଅଞ୍ଚଳ "ଜୟ ଜଗନ୍ନାଥ" ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା। ଅପାର ଭକ୍ତି ଓ ଉତ୍ସାହର ସହ ଶୃଙ୍ଖଳିତ ଭାବେ ରଥ ଟାଣି ଭକ୍ତମାନେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଓ ଆଶୀର୍ବାଦ ଲାଭ କରିଥିଲେ। ରଥଯାତ୍ରା ଅବସରରେ ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ, ଡେପୁଟୀ କଲେକ୍ଟର ରଚିତା ମହାପାତ୍ର , ସହାୟକ ଉପଜିଲ୍ଲାପାଳ ଚନ୍ଦ୍ରଗିରି ଗାୟତ୍ରୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ,ଉପଖଣ୍ଡ ପୋଲିସ ଅଧିକାରୀ ଦୀପକ ମିଶ୍ର, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ, ଅତିରିକ୍ତ ତହସିଲଦାର ଅବିନାଶ ମାହାର ଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସମଗ୍ର ବ୍ୟବସ୍ଥାର ତଦାରଖ କରିଥିଲେ। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍ ନିୟନ୍ତ୍ରଣ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା, ଅଗ୍ନିଶମ ସେବା, ବିଦ୍ୟୁତ ଯୋଗାଣ ଏବଂ ପରିମଳ ବ୍ୟବସ୍ଥାକୁ ସୁଚାରୁ ଭାବେ କାର୍ଯ୍ୟକାରୀ କରାଯାଇଥିଲା। ପୁଲିସ, ଅଗ୍ନିଶମ ବାହିନୀ, ସ୍ୱାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗ, ସ୍ଥାନୀୟ ପ୍ରଶାସନ, ମନ୍ଦିର ପରିଚାଳନା କମିଟିର ସଦସ୍ୟ, ସେବାୟତ, ଓ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ସମନ୍ୱିତ ସହଯୋଗ ଫଳରେ ସମଗ୍ର ରଥଯାତ୍ରା ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଶୃଙ୍ଖଳିତ ପରିବେଶରେ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଶେଷରେ ପ୍ରଶାସନ ପକ୍ଷରୁ ସମସ୍ତ ସେବାୟତ, ସ୍ୱେଚ୍ଛାସେବୀ, ସୁରକ୍ଷାକର୍ମୀ, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ଶୃଙ୍ଖଳା ବଜାୟ ରଖି ରଥଯାତ୍ରାକୁ ସଫଳ କରିଥିବା ସମସ୍ତ ଭକ୍ତବୃନ୍ଦଙ୍କୁ ଆନ୍ତରିକ କୃତଜ୍ଞତା ଅର୍ପଣ କରାଯାଇଛି। ଆଗାମୀ ବାହୁଡ଼ା ଯାତ୍ରା ଓ ସୁନାବେଶ ମହୋତ୍ସବ ମଧ୍ୟ ସମାନ ଭାବେ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଶୃଙ୍ଖଳିତ ପରିବେଶରେ ସଫଳ କରିବା ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ କାମନା କରାଯାଇଛି।