Hot Posts

6/recent/ticker-posts

ବର୍ଷା ଋତୁ ଆଗମନ ସାଙ୍ଗକୁ ଜଙ୍ଗଲୀ କର୍ଡି ଶାଗର ମଜା

ଝରିଗାଁ, ୦୯/୦୭ (ନକୁଳ ଭତରା) : ବର୍ଷା ଋତୁର ଆଗମନ ସହ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସାପ୍ତାହିକ ହାଟ ଓ ବଜାରରେ ଜଙ୍ଗଲୀ କର୍ଡି ଶାଗର ଆଗମନ ହୋଇଛି। ଝରିଗାଁ, ଉମରକୋଟ, ରାଇଘର ସମେତ ବିଭିନ୍ନ ଅଞ୍ଚଳର ହାଟ ବଜାରରେ ଏହି ଶାଗ କିଣିବା ପାଇଁ ଲୋକଙ୍କ ଭିଡ଼ ଜମୁଥିବା ଦେଖାଯାଉଛି। ବିଶେଷକରି ଗୁରୁବାର ଅନୁଷ୍ଠିତ ବକଡା ବେଡ଼ା ସାପ୍ତାହିକ ହାଟରେ କର୍ଡି ଶାଗ କିଣିବା ପାଇଁ ଲୋକଙ୍କ ଭିଡ଼ ବେଶ ଜମିଥିଲା। ପୌଷ୍ଟିକ ଗୁଣରେ ଭରପୂର କର୍ଡି ଶାଗ ବର୍ଷା ଋତୁର ଏକ ଲୋକପ୍ରିୟ ଜଙ୍ଗଲୀ ପରିବା। ବିଶେଷକରି ଆଦିବାସୀ ଅଞ୍ଚଳରେ ଏହାର ଚାହିଦା ଅଧିକ ରହିଥାଏ। କର୍ଡି ଶାଗରୁ ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ ହେଉଥିବାରୁ ବର୍ଷା ଦିନରେ ଏହାର ଚାହିଦା ଆହୁରି ବଢ଼ିଯାଏ। ସ୍ଥାନୀୟ ଲୋକମାନେ ଜଙ୍ଗଲରୁ କର୍ଡି ଶାଗ ସଂଗ୍ରହ କରି ହାଟ ବଜାରରେ ବିକ୍ରି କରୁଥିବାରୁ ଅନେକ ପରିବାର ପାଇଁ ଏହା ଋତୁକାଳୀନ ରୋଜଗାରର ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ବର୍ତ୍ତମାନ ହାଟ ବଜାରରେ ଗୋଟିଏ ଟୁକୁନି କର୍ଡି ଶାଗ ୨୦ ଟଙ୍କାରେ ବିକ୍ରି ହେଉଛି। ବିକ୍ରେତାଙ୍କ କହିବା ଅନୁଯାୟୀ, ସେମାନେ ପାହାନ୍ତିଆରୁ ଜଙ୍ଗଲକୁ ଯାଇ କର୍ଡି ଶାଗ ସଂଗ୍ରହ କରନ୍ତି। ପରେ ଏହାକୁ ସଫା କରି ଛୋଟ ଛୋଟ ଖଣ୍ଡରେ କାଟି ବିକ୍ରି ପାଇଁ ପ୍ରସ୍ତୁତ କରନ୍ତି। କଠିନ ପରିଶ୍ରମ ପରେ ବଜାରକୁ ଆସୁଥିବା ଏହି ଜଙ୍ଗଲୀ ଶାଗର ସ୍ୱାଦ ଓ ପୌଷ୍ଟିକ ଗୁଣ ଯୋଗୁଁ ଗ୍ରାହକଙ୍କ ମଧ୍ୟରେ ବେଶ ଆଦର ରହିଛି। ଫଳରେ ପ୍ରତ୍ୟେକ ସାପ୍ତାହିକ ହାଟରେ କର୍ଡି ଶାଗର ବିକ୍ରି ଜୋରଦାର ହେଉଥିବା ସହ ବିକ୍ରେତାମାନେ ମଧ୍ୟ ଭଲ ରୋଜଗାର କରୁଥିବା ପ୍ରକାଶ କରିଛନ୍ତି